କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୬ତମ ବାର୍ଷିକ ଉତ୍ସବ ଉଡାନ୍‍

ଭୁବନେଶ୍ୱର,୨୪ ।୧୨: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୬ତମ ବାର୍ଷିକ ଉତ୍ସବ ଉଡାନ୍‍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ସେ ଛାତଛାତ୍ରୀଙ୍କୁ ମାନବିକ ମୂଲ୍ୟବୋଧ ଓ ମାନବିକତା ନେଇ ସର୍ବଦା ସଚେତନ ରହିବାକୁ ପରମର୍ଶ ଦେଇଥିଲେ । ଶ୍ରୀ ସାମନ୍ତ କହିଲେ, କିଟ୍‍ ଏବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଓ ସ୍ୱୀକୃତି ଲାଭ କରିଛି ।

ତୁମେମାନେ ବିଶ୍ୱର ଯେଉଁ ସ୍ଥାନକୁ ବି ଯାଅ ସେଠାରେ ତୁମକୁ  ସ୍ୱାଗତ ଓ ସ୍ୱୀକୃତି ପ୍ରଦାନ କରିବାକୁ କିଟ୍‍ର ପୁରାତନ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ରୂପେ ପାଇବ । ତେବେ ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଖି ନିଜର ଦକ୍ଷତା ପ୍ରତିପାଦନ ପାଇଁ କଠିନ ପରିଶ୍ରମ କରିବାକୁ ଶ୍ରୀ ସାମନ୍ତ ଛାତଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍କୁଲ୍‍ର ଚେୟାରପର୍ସନ୍‍ ଡ. ମୋନା ଲିସା ବଳ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଜଣଙ୍କର ସର୍ଜନା ଅନ୍ୟଜଣଙ୍କ ସର୍ଜନାଠାରୁ ଅଲଗା ହୋଇଥାଏ । ବୈଷୟିକ ଜ୍ଞାନର ବିକାଶ ସହ  ଏହାର ସହାୟତାରେ ପ୍ରଦର୍ଶନକୁ  ପରିବର୍ଦ୍ଧିତ କରାଯାଇପାରେ । କିନ୍ତୁ ସର୍ଜନା ହେଉଛି ଛାତ୍ରଛାତ୍ରୀଙ୍କ ନିଜସ୍ୱ ଓ ଅନନ୍ୟ ।

ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲର ବାର୍ଷିକ ବିବରଣୀ ପାଠରେ ଚଳିତ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ସ୍କୁଲ୍‍କୁ ସୁନାମ ଆଣିଦେଇଥିବା ଛାତ୍ରଛାତ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ । କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ସର୍ବଦା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଆସୁଛି । ଏହି ସ୍କୁଲ୍‍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିସ୍ୱାର୍ଥପର ସେବା ଓ ସୀମାହୀନ ଶିକ୍ଷା ବୋଲି ଡ. ସୁଆର କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଶେଷ କରି ଏମ୍‍ଜେ-୫ ଗ୍ରୁପ୍‍ର ଚିତାକର୍ଷକ ପ୍ରଦର୍ଶନ ଏବଂ ମେଲୋଡି କୁଇନ୍‍ ତଥା ଇଣ୍ଡିଆନ୍‍ ଆଇଡଲ୍‍ ଜୁନିଅର ଫେମ୍‍ ଅନନ୍ୟା ଶ୍ରୀତମ୍‍ ନନ୍ଦଙ୍କ ସଙ୍ଗୀତ ପରିବେଷଣ ଉତ୍ସବକୁ ଆହୁରି ସରସ କରିଦେଇଥିଲା ।

Leave a Reply

Your email address will not be published. Required fields are marked *