ଭାରତରେ ଚେସ୍‌ର ପ୍ରସାର ନେଇ କିଟ୍ ଓ ଫିଡେ ମଧ୍ୟରେ ବୁଝାମଣା

0
FEDE - AICF- KIIT MOU Photo

ଫିଫା ଓ ଏଫ୍‌ଆଇଭିବି ପରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଫିଡେ ସହ ବୁଝାମଣା କରି ଇତିହାସ ସୃଷ୍ଟି କଲା କିଟ୍‍

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତରେ ଚେସ୍‌ର ପ୍ରସାର ନିମନ୍ତେ କିଟ୍‌, ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌) ଓ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ) ମଧ୍ୟରେ ଆଜି ଗୋଆଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଭାରତରେ ବିଦ୍ୟାଳୟସ୍ତରରୁ ଚେସ୍‌ର ପ୍ରସାର ଲକ୍ଷ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଫଳରେ ଶିକ୍ଷା ସହ ଚେସ୍‌ର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ । ଫିଡେ ସଭାପତି ଆର୍କାଡ଼ି ଭର୍କୋଭିଚ୍‌, ଫିଡେ ମ୍ୟାନେଜମେଣ୍ଟ ବୋର୍ଡ ଉପାଧ୍ୟକ୍ଷ ଜିଏମ୍ ଦାନା ରେଜିନାଇସ୍‌, ଫିଡେ ଚୟନ କମିଟିର ସଦସ୍ୟ ତଥା ମୁଖ୍ୟ କୋଚ ଜିଏମ୍ ଅଭିଜିତ କୁନ୍ତେ, ଚେସ୍ ତାରକା ବିଶ୍ୱନାଥନ୍ ଆନନ୍ଦ, ଏଆଇସିଏଫ୍ ସଭାପତି ନିତିନ୍ ନାରଙ୍ଗ, ଫିଡେ ଇଭେଣ୍ଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ସୂଚନାଯୋଗ୍ୟ, ଚେସ୍ ମାଧ୍ୟମରେ ଶିକ୍ଷା, ପୁନର୍ବାସ, ଅନ୍ତର୍ଭୁକ୍ତିକରଣ ଏବଂ ଲୋକଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଫିଡେ ପକ୍ଷରୁ ବିଭିନ୍ନ ସମୟରେ ପ୍ରୟାସ ଜାରି ରହିଛି । ଏଥିପାଇଁ ୨୦୨୫ରେ ଫିଡେର ବିଷୟବସ୍ତୁ ଥିଲା ଚେସ୍ ଫର୍‍ ସୋସିଆଲ୍ ସର୍ଭିସ । ୨୦୨୬କୁ ଇୟର ଅଫ୍ ଚେସ୍ ଇନ୍ ଏଜୁକେସନ୍ ଘୋଷଣା କରିଛି ଫିଡେ । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କିଟ୍ ଓ କିସ୍‌ର ବ୍ୟାପକ ଯୋଗଦାନ ଥିବାରୁ ଫିଡେ କିଟ୍ ସହ ବୁଝାମଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ୨୦୨୬ ଜାନୁଆରୀ ମାସରେ କିଟ୍‌ରେ ଆନ୍ତର୍ଜାତିକ ଚେସ୍ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଏହି ବୁଝାମଣା ହୋଇଛି । ଏହି ଫେଷ୍ଟିଭାଲରେ ପ୍ରାୟ ୩୫ ଦେଶର ଚେସ୍ ସଂଘର ମୁଖ୍ୟ ତଥା ଫିଡେ ଓ ଏଆଇସିଏଫ୍‌ର ସଭାପତି ଓ ଚେସ୍ ତାରକାମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର ପାଇଁ ଭାରତରେ ବିଶେଷ କରି ଓଡ଼ିଶାର କିଟ୍ ପରିସରରେ ଏଭଳି ଚେସ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାକୁ ଯାଉଛି ।
ଏହା ପୂର୍ବରୁ ଫୁଟ୍‌ବଲ୍‌ର ପ୍ରସାର ନିମନ୍ତେ କିଟ୍ ମଧ୍ୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ସଂଘ (ଫିଫା) ସହ ବୁଝାମଣା କରି ଇତିହାସ ସୃଷ୍ଟି କରିଥିବା ବେଳେ ଭଲିବଲ୍‌ର ପ୍ରସାର ନିମନ୍ତେ କିଟ୍ ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ସହ ବୁଝାମଣା କରିଛି । ଚେସ୍‌ର ପ୍ରସାର ନିମନ୍ତେ ଏବେ ଫିଡେ ସହ ବୁଝାମଣା ହେଉଛି କିଟ୍‌ର ତୃତୀୟ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ସହ ବୁଝାମଣା ।
ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ନେଇ ଶ୍ରୀ ସାମନ୍ତ କହିଛନ୍ତି, ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ଖେଳ ଭାବେ ଖେଳାଯାଉଥିବା କ୍ରୀଡ଼ା ଫୁଟବଲ୍ ଓ ଭଳିବଲ୍ ସହ ପୂର୍ବରୁ କିଟ୍‌ର ବୁଝାମଣା ହୋଇଥିବା ବେଳେ ଏବେ ବିଶ୍ୱର ଅନ୍ୟତମ ସର୍ବାଧିକ କ୍ରୀଡ଼ା ଚେସ୍‌ର ଅନ୍ତର୍ଜାତୀୟ ସଂଘ ସହ କିଟ୍ ବୁଝାମଣା କରିଛି । ଏହାଦ୍ୱାରା କ୍ରୀଡ଼ା କ୍ଷେତ୍ରରେ ଦୀର୍ଘ ୩୦ବର୍ଷ ଧରି କିଟ୍‌ର ଯୋଗଦାନ ଓ ଅବଦାନକୁ ବିଶ୍ୱର ଏହି ସଂଘଗୁଡ଼ିକର ସ୍ୱୀକୃତି ପ୍ରଦାନ ସହ କିଟ୍ ଓ କିସ ଭଳି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହା କିଟ୍‌, କିସ୍‌, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *