ଜେଲଖାନା ନା ଡାକ୍ତରଖାନା : କିଏ ଏବେ ବିଧାୟକଙ୍କ ସଠିକ ଠିକଣା

ଖୋର୍ଦ୍ଧା : ୮/୧୦ (ପ୍ରବାହ ନିଉଜ୍) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ, ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଦିନ ଏଗାରଟା ବେଳେ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜିର ହୋଇ ଜାମିନ ଆବେଦନ କରିଥିଲେ । ମାନ୍ୟବର ଅଦାଲତ ତଳ କୋର୍ଟରେ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ପୂର୍ବ ସୂଚନା ମୁତାବକ, ବାଲୁଗାଁ ମଣ୍ଡଳର ଜଣେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫା ମଧ୍ୟ ଲାଗିଥିଲା। ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଥିଲେ । ଏହାପରେ ବିଧାୟକ ଦୀର୍ଘ ଏକମାସ ଧରି ଫେରାର ଥିଲେ । ଆଜି ସେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଏ ନେଇ ପ୍ରତିପକ୍ଷଙ୍କ ଉପସ୍ଥିତିରେ ଆଜି ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ପାଖାପାଖି ଦିନ ବାରଟା ମଧ୍ୟରେ ସମାପ୍ତ ହୋଇଥିଲେ ମଧ୍ୟ ପରିସ୍ଥିତିକୁ ଦେଖି ରାୟ ସଂରକ୍ଷିତ ରଖାଯାଇଥିଲା। ପରିଶେଷରେ ପୋଲିସ କଡ଼ା ସୁରକ୍ଷା ଭିତରେ ବିଧାୟକ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହେପାଜତକୁ ପଠାଇ ଦିଆଯାଇଥିଲା ।

କିନ୍ତୁ ଜେଲରେ ପହଞ୍ଚିବା ପରେ ଜେଲ ଦ୍ୱାରା ନିୟୋଜିତ ଡାକ୍ତର ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ବିଧାୟକ ଜଣେ ଉଚ୍ଚ ରକ୍ତଚାପ ଜନିତ ହୃଦରୋଗୀ ବୋଲି ଜଣା ପଡିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ର ଏକ ପ୍ଲାଟୁନ ଫୋର୍ସ ସହିତ କୋର୍ଟଭ୍ୟାନ ଜରିଆରେ କଡା ସୁରକ୍ଷା ବଳୟ ମଧ୍ୟରେ ଖୋର୍ଦ୍ଧା ଜେଲରୁ ନେଇ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *