ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବିଭିନ୍ନ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ

ଖୋର୍ଦ୍ଧା : ୦୯/୦୨/୨୦୨୧ : ବିନା କୌଣସି ସୂଚନାରେ ଛଟେଇ କରା ଯାଇଥିବା  ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା କମ୍ପ୍ୟୁଟର ସଂଯୋଜକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ।

ବିଦ୍ୟାଳୟରେ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ରଖିଥିବା ବେଳେ ଶିକ୍ଷାବିଭାଗ ଦୋମୁହାଁ ନୀତି ଅବଳମ୍ବନ କରି ସେମାନଙ୍କୁ ଛଟେଇ କରୁଥିବା ଅଭିଯୋଗ କରିଛନ୍ତି । ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସହିତ କମ୍ପ୍ୟୁଟର ଶିକ୍ଷା ଦେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଜୀବିକା ହରାଇଥିବା କଥା କହିଛନ୍ତି ।

କ୍ରମାଗତ ଭାବେ ଦୀର୍ଘ ପାଞ୍ଚବର୍ଷ ଧରି ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ କିପରି ସେମାନେ ନିଜର ପ୍ରତିପୋଷଣ କରିବେ ବୋଲି ରାଜ୍ୟ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ଶିକ୍ଷା ବିଭାଗ ଏହି ଛଟେଇ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ନେଇ ସଂଘ ଚେତାବନୀ ଦେଇଛି ।

ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଅନୁସାରେ ୨୦୧୪ରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଠ୍ୟକ୍ରମ ନିମନ୍ତେ ୧୭୯ ବିଦ୍ୟାଳୟକୁ କମ୍ପ୍ୟୁଟର ଶିକ୍ଷା ପାଇଁ ଚୟନ କରାଯାଇଥିଲା । ୨୦୧୪ ଏପ୍ରିଲ ଠାରୁ ୨୦୧୫ ଜୁଲାଇ ମଧ୍ୟରେ ୪ଟି ପର୍ଯ୍ୟାୟରେ କମ୍ପ୍ୟୁଟର ସଂଯୋଜକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥା ହାତରେ ଟେକିଦେଇଥିବା ବେଳେ ସଂସ୍ଥା ଜରିଆରେ ଜିଲ୍ଲାର ୧୭୯ ଜଣ ବେକାର ଯୁବକ, ଯୁବତୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିଲେ। ମାତ୍ର ୨୦୧୯ ଏପ୍ରିଲ ମାସରେ ସମସ୍ତ କମ୍ପ୍ୟୁଟର ସଂଯୋଜକଙ୍କୁ ଛଟେଇ କରାଯାଇଛି ।

ଏହା ପ୍ରତିବାଦରେ ଆଜି ସଂଘ ର ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧୁକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସେମାନଙ୍କୁ ଛଟେଇ କରିବା ଦ୍ବାରା ରାଜ୍ୟବ୍ୟାପୀ ଚାରି ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବାଧାପ୍ରାପ୍ତ ହେବ ବୋଲି ସଂଘ ପ୍ରକାଶ କରିଛି ।  ଛଟେଇ କରିବା ଦ୍ଵାରା କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ତେଣୁ ଛଟେଇ ଆଦେଶ ପ୍ରତ୍ୟାହାର କରିବା ନେଇ ସେମାନେ ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଅଭିଯୋଗ କୁ ନେଇ ଏକ ଦାବିପତ୍ର ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ କିରାଣୀକୁ ପ୍ରଦାନ କରାଯାଇଛି ।

ଶିକ୍ଷା ବିଭାଗ ଏ ସମ୍ପର୍କରେ ଯଦି ଆଗାମୀ ୧୯ ତାରିଖ ମଧ୍ୟରେ କିଛି ସକାରାତ୍ମକ ନିଷ୍ପତ୍ତି ନ ନିଅନ୍ତି ତେବେ  ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *