ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ଟୀକାକରଣ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ

ଖୋର୍ଦ୍ଧା : ୦୬/୦୨/୨୦୨୧ : ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।ଏହି ପ୍ରର୍ଯାୟରେ ସମସ୍ତ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି । ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମକୁ ଛାଡି ବାକି କେନ୍ଦ୍ର ମାନଙ୍କରେ ଜିଲ୍ଲା ପ୍ରଶାସନ ର ସମସ୍ତ କର୍ମଚାରୀ ମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି।

ଖୋର୍ଦ୍ଧା ସଦର ମହକୁମାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ,ସଂସ୍କୃତି ଭବନ ଓ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅସ୍ଥାୟୀ କୋଭିଡ୍ ଟୀକାଦାନ କେନ୍ଦ୍ରରେ ଟୀକାକରଣ କରାଯାଇଛି ।ସଂସ୍କୃତି ଭବନ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ, ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେଉରିଆ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ ଅନ୍ୟ କର୍ମଚାରୀମାନେ କୋଭିଡ୍ ଟିକା ନେଇଥିଲେ।

ଟିକାଦାନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଶ୍ବରଂଜନ ପତି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ଦ୍ବାରିକାନାଥ ଶତପଥୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟରେ ହୋଇଥିବା ଟିକାଦାନ କେନ୍ଦ୍ରରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଶୀଳ କୁମାର ମିଶ୍ର ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୃତିବାସ ଜେନାଙ୍କ ସମେତ କାର୍ଯ୍ୟାଳୟ ର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଟିକାଦାନ ରେ ସାମିଲ ହୋଇଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ୧୨ ଟି ଟୀକାଦାନ କେନ୍ଦ୍ରରେ ୧୦୫୬ ଜଣଙ୍କୁ ଆଜି କୋଭିଡ୍ ଟିକା ଦିଆଯାଇଛି। ଆଜି ୧୩୬୦ ଜଣଙ୍କୁ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ ଥିବାବେଳେ ଶତକଡ଼ା ୭୭% ପ୍ରତିଶତ ଟୀକାଦାନ ହୋଇଛି।ସଂସ୍କୃତି ଭବନ ଠାରେ ୫୩ ଜଣ,ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୧୨୭ ଜଣ ଓ ବ୍ଲକ୍ କାର୍ଯ୍ୟାଳୟ ରେ ୬୦ ଜଣ କର୍ମଚାରୀ କୋଭିଡ୍ ଟିକା ନେଇଥିବା ସୂଚନା ମିଳିଛି ।