ଖୋର୍ଦ୍ଧା ପଲ୍ଲା ର ବରୁଣେଇ ସାହିରେ ବଧୂହତ୍ୟା ଅଭିଯୋଗ

ଖୋର୍ଦ୍ଧା : ୨୮ ୦୨/୨୦୨୧ : କେତେ ଆଶା ସଜେଇ ଗୋଟିଏ ଝିଅ ବଧୁ ସାଜିଥାଏ, ମନରେ ଅସୁମାରୀ ଆଶା ନେଇ ଅଜଣା ରାଇଜରେ ପାଦ ଥାପିଥାଏ ତା ମନ ରାଇଜର ରାଜକୁମାର ର ହାତ ଧରି, ଅଜଣା ଲୋକଙ୍କୁ ଆପଣାର କରି ନୂତନ ଜୀବନ ଆରମ୍ଭ କରିଥାଏ ବାପା ମାଆଙ୍କର  ଅଲିଅଳି ଝିଅ କାହାର ବୋହୁ ଓ ବଧୂ ହୋଇ….
କିନ୍ତୁ ନିୟତି ର ନିୟମ କିଛି ଅଲଗା… ସବୁ ଆଶା ଆଶାରେ ରହିଗଲା, ସଂସାରର ମାନେ ଜାଣିବା ପୂର୍ବରୁ ଅକାଳରେ ଚାଲିଗଲା ନିରୀହ ଜୀବନ । ଏମିତି ଏକ ଘଟଣା ଆଜି ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲା ଅଞ୍ଚଳର ବରୁଣେଇ ସାହିରୁ ୨୬ ବର୍ଷୀୟ ବିବାହିତା  ମହିଳା ଙ୍କ ଶବ ଉଦ୍ଧାର । ମୃତକା ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମର ପ୍ରତାପ ଚନ୍ଦ୍ର ରାଉତରାୟ ଙ୍କ ଝିଅ ଶ୍ରଦ୍ଧାଞ୍ଜଳି ରାଉତରାୟ ଓରଫ ମାନି ।

ଗତ ବର୍ଷ ଫେବୃୟାରୀ ମାସ ଚାରି ତାରିଖରେ ବୈଦିକ ରୀତିରେ ଖୋର୍ଦ୍ଧା ପଲ୍ଲା ଅଞ୍ଚଳର ସୁରତ ଧାଉଡିଆସିଂଙ୍କ ପୁଅ ସୁଜିତ ଜଗଦେବଙ୍କୁ ବିବାହ କରିଥିଲେ । ବିଭାଘର ସମୟରେ ନଗଦ ପାଞ୍ଚ ଲକ୍ଷ ଟଙ୍କା ଦଶ ଭରି ର ସୁନା ଗହଣା ଓ ଅନେକ ଘରକରଣା ସରଞ୍ଜାମ ଝିଅକୁ ଯୌତୁକ ଆକାରରେ ଦେଇଥିଲେ । ସୁଜିତ ସୁଦୂର ବାଙ୍ଗାଲୋର ରେ କୌଣସି ଏକ  ପ୍ରାଇଭେଟ କମ୍ପାନୀ ରେ କାମ କରୁଥିବା ବେଳେ ଲକଡାଉନ ପରଠାରୁ ଘରେ ଆସି ରହୁଥିଲେ । ବିଭିନ୍ନ ସମୟରେ ଶ୍ରଦ୍ଧାଞ୍ଜଳୀ ଙ୍କ ଶଶୁର ଶାଶୁ ଓ ଦୁଇ ନଣଦ ବାପ ଘରୁ ଅର୍ଥ ଆଣିବା ଲାଗି ଦାବି କରିବା ସହିତ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଓ ଏଥିରେ ତାଙ୍କୁ ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ସାରଙ୍ଗଧର ଓ ବାବୁଲି ନାମକ ଦୁଇଜଣ ସମ୍ପର୍କୀୟ ମଧ୍ୟ ସହଯୋଗ କରୁଥିଲେ ବୋଲି ମୃତକାଙ୍କ ବାପା ପ୍ରତାପ ଅଭିଯୋଗ କରିଛନ୍ତି ।

ପ୍ରତାପଙ୍କ ଅଭିଯୋଗ ଅନୁସାରେ ଗତକାଲି ଶନିବାର ରାତିରେ ଝିଅ ଫୋନ କରି  ତା ମନ ଭଲ ନ ଥିବା ସହିତ ଜ୍ବାଇଁ ମାରଧର କରିଛନ୍ତି ବୋଲି କହିଥିଲା, ଏ କଥାରେ ବାପା ଝିଅକୁ ଶାନ୍ତ୍ୱନା ଦେଇ ରବିବାର ସକାଳେ ଦେଖା କରିବି କହି ଫୋନ ରଖିଥିଲେ, କିନ୍ତୁ ବିଧିର ବିଧାନ କିଛି ଅଲଗା । ରବିବାର ସକାଳ ସମୟରେ ପ୍ରତାପଙ୍କ ପାଖକୁ ସମୁଦୀ ସୁରତ ଧାଉଡିଆସିଂଙ୍କ ଫୋନ ଆସିଥିଲା ଯେ ତୁମ ଝିଅ ଆଉ ନାହିଁ। ସେ ରଶି ଲଗାଇ ଆତ୍ମହତ୍ୟା କରିଛି । କିନ୍ତୁ ମୃତକା ଶ୍ରଦ୍ଧାଞ୍ଜଳି ଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଝିଅ ମୋର ଉଚ୍ଚ ଶିକ୍ଷିତା, ସେ କେବେ ହେଲେ ବି ଆତ୍ମହତ୍ୟା କରିନଥିବ, ବରଂ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ତାଙ୍କ ଝିଅକୁ ତା ଶାଶୁ ଘର ଲୋକ ହତ୍ଯା କରିଛନ୍ତି ବୋଲି ପ୍ରତାପ ରାଉତରାୟ ଅଭିଯୋଗ କରିଛନ୍ତି ।

ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ଯବଚ୍ଛେଦ ଲାଗି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏପଟେ ମୃତକାଙ୍କ ସ୍ୱାମୀ ସୁଜିତ ସହିତ ଦୁଇ ନଣଦ ଅଞ୍ଜଳି ଓ ଜ୍ୟୋତି ଫେରାର ଥିବାବେଳେ ପୋଲିସ ଶଶୁର ସୁରତ ଧାଉଡିଆସିଂ ଓ ଶାଶୁ  ସରୋଜିନୀ ଧାଉଡିଆସିଂ ଙ୍କୁ ଅଟକ ରଖିବା ସହିତ ଘରେ ଲାଗିଥିବା ସିସିଟିଭି କୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ବୋଲି ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଶ୍ରୀ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *