ସାରା ଦେଶର ଛାତ୍ରମାନଙ୍କ ପାଇଁ କେଜ୍ରିୱାଲ ଆରମ୍ଭ କଲେ ଭର୍ଚୁଆଲ୍ ସ୍କୁଲ୍

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ପୂଜା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଭର୍ଚୁଆଲ୍ (ଆଭାସୀ) ସ୍କୁଲ୍ ଆରମ୍ଭ କରି କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଏହି ଭର୍ଚୁଆଲ ସ୍କୁଲରେ ନାମଲେଖା ପାଇଁ ଯୋଗ୍ୟ ହେବେ।
ଦିଲ୍ଲୀ ମଡେଲ ଭର୍ଚୁଆଲ ସ୍କୁଲ ପାଇଁ ଆବେଦନ ପ୍ରକ୍ରିୟା ଆଜି (ବୁଧବାର) ଠାରୁ ହିଁ ଆରମ୍ଭ ହୋଇଯାଇଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ପଢ଼ି ପାରିବେ।
ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୂଚନା ଦେଇ କହିଛନ୍ତି, ସମଗ୍ର ଭାରତରେ ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟ ପ୍ଲାଟଫର୍ମରେ ଆଡମିସନ ଖୋଲା ରହିବ ଏବଂ ସେମାନଙ୍କୁ ଏନଇଇଟି, କ୍ୟୁଇଟି (ସିୟୁଇଟି) ଏବଂ ଜେଇଇ ପରି ପ୍ରବେଶିକା ପରୀକ୍ଷା ପାଇଁ ବିଶେଷଜ୍ଞମାନେ ମଧ୍ୟ ପ୍ରସ୍ତୁତ କରିବେ ଏବଂ ଦକ୍ଷତା ଆଧାରିତ ତାଲିମ ମଧ୍ୟ ପ୍ରସ୍ତୁତ କରିବେ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି ଯେ ଦେଶର ପ୍ରଥମ ଭର୍ଚୁଆଲ୍ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ରୂପେ ପ୍ରମାଣିତ ହେବ। ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ ବିଦ୍ୟାଳୟକୁ ଯାଇ ପାରିବେ ନାହିଁ। କାରଣ ବିଦ୍ୟାଳୟ ବହୁତ ଦୂରରେ କିମ୍ବା ଅନ୍ୟାନ୍ୟ ପ୍ରତିବନ୍ଧକ ରହିଛି। ଅନେକ ପିତାମାତା ସେମାନଙ୍କ ଝିଅମାନଙ୍କୁ ଶିକ୍ଷିତ କରନ୍ତି ନାହିଁ। କାରଣ ସେମାନେ ସେମାନଙ୍କୁ ବାହାରକୁ ପଠାଇବାକୁ ଚାହାନ୍ତି ନାହିଁ। ଏ ପରିସ୍ଥିତିରେ ସେମାନେ ଶିକ୍ଷିତ ହେବା ନିଶ୍ଚିତ କରିବାକୁ ଆମେ ଏହି ଭର୍ଚୁଆଲ୍ ବିଦ୍ୟାଳୟ ଆରମ୍ଭ କରୁଛୁ। ଏହି ବିଦ୍ୟାଳୟ ଭର୍ଚୁଆଲ୍ କ୍ଲାସ୍ ଦ୍ୱାରା ଅନୁପ୍ରାଣିତ ଯାହା କୋଭିଡ-୧୯ ମହାମାରୀ ହେତୁ ଆବଶ୍ୟକ ହୋଇଥିଲା ବୋଲି ସେ କହିଛନ୍ତି। ଏହି କ୍ଲାସ୍ ଅନଲାଇନ୍ ହେବ ଏବଂ ରେକର୍ଡ ହୋଇଥିବା ଶିକ୍ଷକଙ୍କ ବକ୍ତୃତା ମଧ୍ୟ ଅନଲାଇନରେ ଅପଲୋଡ୍ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।