କଶ୍ମୀର ପଣ୍ଡିତଙ୍କ ପାଇଁ ମୋ ହୃଦୟ କାନ୍ଦୁଛି, ସେ ଘଟଣା ପାଇଁ ମୁଁ ନୁହେଁ ଦିଲ୍ଲୀରେ ଥିବା ସରକାର ଦାୟୀ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ ଅତ୍ୟାଚାରର ଶିକାର ହୋଇଥିଲେ ଏବଂ କେତେ ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା, ତାହା ଫିଲ୍ମରେ ଦେଖାଯାଇଛି।

ଏହି ଫିଲ୍ମ ରିଲିଜ୍ ପ‌ରେ ୧୯୯୦ରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ଫାରୁକ୍ ଅବଦୁଲ୍ଲାଙ୍କ ଉପରେ ଅନେକ ଆଙ୍ଗୁଳି ଉଠିଛି। ସେ ସମୟରେ ଘଟିଥିବା ଘଟଣା ପାଇଁ ଫାରୁକ୍ ଅବଦୁଲ୍ଲା ଦାୟୀ ଏବଂ ସେ କଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି। ଏବେ ଉଠୁଥିବା ପ୍ରଶ୍ନ ଉପରେ ଫାରୁକ୍ ଅବଦୁଲ୍ଲା ନିଜ ପ୍ରତିକ୍ରିୟା ରଖିଛନ୍ତି। ୧୯୯୦ ମସିହାରେ କଶ୍ମୀରରେ ଯାହା ଘଟିଥିଲା ତାହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଇଣ୍ଡିଆଟୁଡେକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସେ ସମୟ ବହୁତ ଖରାପ ସମୟ ଥିଲା। ସେହି ସମୟରେ କଶ୍ମୀରୀ ପଣ୍ଡିତମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ମୋର ହୃଦୟ ଏବେ ବି କାନ୍ଦୁଛି। କୌଣସି କଶ୍ମୀରୀ ନାହିଁ ଯିଏ ସେମାନଙ୍କ ପାଇଁ କାନ୍ଦିନାହାଁନ୍ତି। ସମସ୍ତେ ଚାହାଁନ୍ତି ଯେ କଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରନ୍ତୁ। ସେତେବେଳେ ଯାଇ କଶ୍ମୀର ସଂପୂର୍ଣ୍ଣ ହେବ।

୧୯୯୦ରେ ଯାହା ଘଟିଲା ତାହା ଏକ ଷଡଯନ୍ତ୍ର ଥିଲା, ଏହି ଷଡଯନ୍ତ୍ର କିଏ କରିଥିଲା? ଏହାର ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବା ଉଚିତ, ତେବେ ଯାଇ ଏଥିରେ କିଏ ଜଡିତ ଅଛି ତାହା ଜଣାପଡିବ। କିନ୍ତୁ ମୁଁ ଏଥିପାଇଁ ଦାୟୀ ନୁହେଁ। ସେ ସମୟରେ ଦିଲ୍ଲୀରେ ଶାସନ କରୁଥିବା ସରକାର ଏଥିପାଇଁ ଦାୟୀ। ଯଦି ମୁଁ ଦାୟୀ ବୋଲି ପ୍ରମାଣ ମିଳେ, ତେବେ ମୋତ ଫାଶୀଖୁଣ୍ଟରେ ଝୁଲାଇ ଦେବ।

Leave a Reply

Your email address will not be published. Required fields are marked *