କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ


ଭୁବନେଶ୍ୱର, ତା ୧୯ା୨ : ଭୁବନେଶ୍ୱରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଜାତୀୟ ସେବା ଯୋଜନା (ଏନ୍‌.ଏସ୍‌.ଏସ୍‌.)ର ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କୁ ସେବାକୁ ବ୍ରତ ଭାବରେ ପାଳନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ କମଳା ନେହେରୁ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଡକ୍ଟର ରମାକାନ୍ତ ମହାପାତ୍ର, ଆଇ.ଏ.ଏମ୍‌.ଏସ୍‌.ର ଅଧ୍ୟାପକ ତଥା ଏକ୍ସ-ଡିପିଓ ଶ୍ରୀ ରଘୁନାଥ ମଣ୍ଡଳ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ କୋର୍ଡିନେଟର ଡକ୍ଟର ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନା (ଏନ୍‌.ଏସ୍‌.ଏସ୍‌.)ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ମଧୁସ୍ମିତା ଦାଶଙ୍କ ତତ୍ତ୍ୱାବଧାନରେ ଏହି ସ୍ୱତନ୍ତ୍ର ଶିବିରରେ ବିଭିନ୍ନ ସମାଜଗଠନ ମୂଳକ କାର୍ଯ୍ୟ ଓ ସମାଜସେବା ଧର୍ମୀ କାର୍ଯ୍ୟ କରାଯାଇଥିଲା । ସ୍ୱେଚ୍ଛାସେବୀ ମାନେ ସମସ୍ତ କାର୍ଯ୍ୟକୁ ନିଷ୍ଠା ଓ ଆଗ୍ରହର ସହ ପୂରଣ କରିବା ସହ ନିଜର କାର୍ଯ୍ୟକୁ ଆନନ୍ଦର ସହ ଉପଭୋଗ କରିଥିଲେ । ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ ପ୍ରଶିକ୍ଷଣ ମାନ ମଧ୍ୟ କରାଯାଉଥିଲା । ରେଡକ୍ରସ୍‌ର କୋର୍ଡିନେଟର ଡକ୍ଟର ବେଦୁଲା ରାମଲକ୍ଷ୍ମୀ ସ୍ୱେଚ୍ଛାସେବୀଙ୍କୁ ସ୍ୱତନ୍ତ୍ର ଭାବରେ କ୍ରୀଡ଼ା ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ । ସ୍ୱେଚ୍ଛାସେବୀମାନେ ଶିବିରରେ ଏକ ନିର୍ଦ୍ଦିଷ୍ଟ ଦିନଚର୍ଯ୍ୟା ପାଳନ କରିଥିଲେ, ସକାଳୁ ଯୋଗ, ପ୍ରାଣାୟମ ଜୁମ୍ବା ଆଦି ଅଭ୍ୟାସ କରିଥିଲେ ଏବଂ ଏହି ଶିବିରରୁ ସ୍ୱେଚ୍ଛାସେବୀଙ୍କର ସମାଜ ସେବା ସହ ବ୍ୟକ୍ତିତ୍ୱ ବିକାଶ, ସାମାଜିକ ବିକାଶ ଓ ମାନବିକ ମୂଲ୍ୟବୋଧର ବିକାଶ ହୋଇଛି ବୋଲି ପରିପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *