କିସରେ କଳିଙ୍ଗ ଫେଲୋସିପ୍ -୨୦୨୨ ଉଦ୍‍ଘାଟିତ

ଭୁବନେଶ୍ୱର, ୮ା୧୨: ଓଡିଶାର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଆମକୁ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି ବୋଲି ଭୁବନେଶ୍ୱର-କଟକ ପୋଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଜି କିସ ପରିସରରେ ଅନୁଷ୍ଠିତ କଳିଙ୍ଗ ଫେଲୋସିପ୍‌-୨୦୨୨ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ କହିଥିଲେ, ଆଇନତଃ ଏହା ଅପରାଧ ହୋଇଥିଲେ ମଧ୍ୟ ଏବେ ବି ଏଭଳି ଘଟଣା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି।

ଯେଉଁ ଜାଗାରେ ଅଭିଯୋଗ ଆସୁଛି ସେଠି ପ୍ରଶାସନ ଏହାକୁ ରୋକିବାରେ ସଫଳ ହେଉଛି। ଆଗରୁ  ରାଜ୍ୟର ବିଭିନ୍ନ ପଛୁଆ ଜିଲାରେ ବାଲ୍ୟ ବିବାହ ଘଟଣା ଦେଖିବାକୁ ମିଳୁଥିଲା। ହେଲେ ଉପଯୁକ୍ତ ଶିକ୍ଷା ଏବଂ ସଚେତନତା ଆଭାବରୁ ରାଜଧାନୀର କିଛି ବସ୍ତି ଅଞ୍ଚଳରେ ଏହା  ଦେଖିବାକୁ ମିଳୁଛି ବୋଲି ଶ୍ରୀ ପ୍ର୍ରିୟଦର୍ଶୀ କହିଥିଲେ। ଉଭୟ ପୁଅ ଝିଅର ବାପା ମାଙ୍କ ସହମତିରେ ଏହି ସବୁ ବାଲ୍ୟ ବିବାହ ହେଉଥିବାରୁ ଏହାକୁ ରୋକିବାରେ ପୋଲିସ୍‌କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ରୋକିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯିବା ଦରକାର। ମାନବ ଚାଲାଣ, ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ କାର୍ଯ୍ୟକରୁଥିବା ସମସ୍ତ ସଙ୍ଗଠନକୁ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛି ବୋଲି ସେ କହିଥିଲେ। ଜାତିସଂଘର ଅନ୍ୟତମ ସ୍ଥାୟୀ ବିକାଶ ଲକ୍ଷ୍ୟ ଲିଙ୍ଗଗତ ହିଂସାର ମୂଳୋତ୍ପାଟନ ନିମନ୍ତେ ଆମ ରାଜ୍ୟ ଓଡ଼ିଶାର ସାମାଜିକ ମୂଲ୍ୟବୋଧ ଓ ପରମ୍ପରାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।


ଏହି କାର୍ଯ୍ୟକ୍ରମରେ ବ୍ରିଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁକେ, ସିଇଓ ସାଇମନ୍ ମେକେନଜି ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ କହିଥିଲେ। ଅନ୍ୟତମ ଅତିଥିଭାବେ ୟୁକେ ବ୍ରିଜ୍ ପାର୍ଟନରସିପ୍ କ୍ଲାଏଣ୍ଟ ଡାଇରେକ୍ଟର ଜନେ ସାସିନି ଯୋଗ ଦେଇଥିଲେ। ଶେଷରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦକ୍ଷିଣ ଏସିଆରେ ମାନବ ଚାଲାଣ ରୋକିବା, ବାଲ୍ୟ ବିବାହ ରୋକିବା, ମହିଳା ଏବଂ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଦସ୍ୟମାନଙ୍କୁ ନେଇ ୭ଟି ଗ୍ରୁପ୍ ମଧ୍ୟରେ ଆଲୋଚନା ହୋଇଥିଲା। ବିଭିନ୍ନ ରାଜ୍ୟରୁ ୧୦୦ ଜଣ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *