ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପାରାଦୀପ କଲେଜରେ କ୍ୟାଣ୍ଟିନ ଓ ଇ ଲାଇବ୍ରେରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ

ପାରାଦୀପ :ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ଓ ମୋ କଲେଜ ଅଭିଯାନର ମିଳିତ ସହଯୋଗରେ ପାରାଦୀପ କଲେଜରେ ଏକ ନୂତନ କ୍ୟାଣ୍ଟିନ ଗୃହ ଓ ଇ ଲାଇବ୍ରେରୀ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ମହାବିଦ୍ୟାଳୟ ପରିସରରେ ଏହାର ଶିଳାନ୍ୟାସ କରାଯାଇଛି। ଏହି ଶୁଭ ଅବସରରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାହ୍ ଚରଣ ଧୀର ବିଶେଷ ସମ୍ମାନିତ ଅତିଥି, ଜେ ଏସ ଡ ବ୍ଲୁ ଟର୍ମିନାଲର ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ପି. ସି. ଝାଞ୍ଜି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ର ଓଡିଶା ସି ଏସ ଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ।
ପାରାଦୀପ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ଶସ୍ମିତା ଶତପଥି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଦୀର୍ଘ ବର୍ଷ ଧରି ଏହି ମହାବିଦ୍ୟାଳୟ ପରିସରରେ ଏକ ଉନ୍ନତ ମାନର କ୍ୟାଣ୍ଟିନ ନ ଥିଲା ବେଳେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ମହାବିଦ୍ୟାଳୟକୁ ଆଖପାଖ ଅଞ୍ଚଳ ସହିତ ରାହାମା,କୂଜଙ୍ଗ, ମାର୍ଶାଘାଇ, ମହାକାଳପଡ଼ା,ଖରନାସୀ ଭଳି ଅନେକ ଗାଁ ରୁ ତଥା କେନ୍ଦ୍ରାପଡ଼ା ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଦୈନିକ ପାଠ ପଢ଼ିବାକୁ ଆସିଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ପାଇଁ କଲେଜ ପରିଶରରେ ଜଳଖିଆ ଓ ଖାଦ୍ୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଦୂରଦୂରାନ୍ତ ଅଂଚଳର ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କ୍ୟାଣ୍ଟିନ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରିବାରେ ବିଶେଷ ସହାୟତା କରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶତପଥୀ ପ୍ରକାଶ କରିଥିଲେ।

ଇ – ଲାଇବ୍ରେରୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସହଜରେ ଉନ୍ନତ ମାନର ଡିଜିଟାଲ ପାଠ୍ୟ ପୁସ୍ତକ ସହିତ ପାଠ୍ୟକ୍ରମ ସମ୍ବନ୍ଧୀୟ ଅଧିକ ଶିକ୍ଷା ଗ୍ରହଣ କରି ପାରିବେ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୋ କଲେଜ ଅଭିଯାନ ମାଧ୍ୟମରେ କୋଡ଼ିଏ ଲକ୍ଷ ଟଙ୍କା ଓ ମୋ କଲେଜ ଅଭିଯାନ ତରଫରୁ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ସମୁଦାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଦୁଇଟି ଗୃହ ନିର୍ମାଣ କାର୍ଯ୍ୟ କରାଯିବ।ଏହା ଦ୍ବାରା ମହାବିଦ୍ୟାଳୟ ପାଠ ପଢୁଥିବା ପ୍ରାୟ ୧୮୦୦ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ।

ତେବେ ବିଗତ ଦିନରେ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପାରାଦୀପ ସହରାଞ୍ଚଳରେ ବିଭିନ୍ନ ବସ୍ତି,ୱର୍ଡ,ଓ ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ ଉପକରଣ ପ୍ରଦାନ, ସୋଲାର ଲାଇଟ୍ ସ୍ଥାପନ, ବୃକ୍ଷରୋପଣ ଆଦି ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଛନ୍ତି। ଜେ ଏସ ଡ ବ୍ଲୁ ଫାଉଣ୍ଡେସନର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକୁ ପୈର ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ବାଳ ଓ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶସ୍ମିତା ଶତପଥୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।
