ଆଗଲପୁର ବାଳକ ହାଇସ୍କୁଲରେ ଅଘଟଣ: ଛାତ୍ରର ବେକରେ ଜାଭଲିନ୍‌ ପଶି ଛାତ୍ର ଗୁରୁତର

ଭୁବନେଶ୍ବର/ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଘଟିଥିବା ଏକ ଅଭାବନୀୟ ଅଘଟଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବେକରେ ଜାଭଲିନ୍‌ ପଶି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥି ସହିତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ୫ଟି ସଚିବ ଭିକେ ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଟେଲିଫୋନ୍‌ରେ କଥା ହୋଇଛନ୍ତି। ସଦାନନ୍ଦର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ତଦନ୍ତ କରି ସବୁ ପ୍ରକାରର ସହଯୋଗ ଯୋଗାଇ ଦେବା ପାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ବାଳକର ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ପାଇଁ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ ଜଣେ ଛାତ୍ର ଜାଭଲିନ୍‌ ମାରୁଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଏହା ପଶି ଯାଇଥିଲା। ପ୍ରତିଯୋଗିତା ଆଗରୁ ଛାତ୍ରମାନେ ଜାଭଲିନ ଅଭ୍ୟାସ କରୁଥିଲେ। ଜଣେ ଛାତ୍ର ଜାଭଲିନ ଥ୍ରୋ କରୁଥିବା ସମୟରେ ନବମ ଶ୍ରେଣୀର ସଦାନନ୍ଦ ମେହେରଙ୍କ ବେକରେ ପଶି ଯାଇଥିଲା। ସଦାନନ୍ଦକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା କରାଯାଇ ଜାଭଲିନ କଢ଼ାଯାଇଛି।

Leave a Reply

Your email address will not be published. Required fields are marked *