ଗଣେଶ ପୂଜାକୁ ନେଇ ଝଲସୁଛି ଜଟଣୀ ସହର: ଦୁଇଶହରୁ ଉର୍ଦ୍ଧ୍ବ ମଣ୍ଡପରେ ବିରାଜିଲେ ଗଜାନନ

ଜଟଣୀ: ୨/୯(ପ୍ରବାହ ନିୟୁଜ୍) ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ପବିତ୍ର ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜା ଜଟଣୀ ସହରରେ ପ୍ରମୁଖ ୨୧ଟି ବଡ ମେଢ଼ ପ୍ରତିଷ୍ଠା କରାଯାଇଥିବାବେଳେ ପ୍ରାୟ ଦୁଇଶହ ଗଣେଶ ମେଢ଼ ବିଭିନ୍ନ ବଜାର,ଗଳି, ସାହିବସ୍ତି ଏବଂ ଆଖ ପାଖ ଗ୍ରାମର ପୂଜା ପେଣ୍ଡାଲରେ ଶୋଭା ପାଉଛନ୍ତି।

ପୂଜା କମିଟିର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ,ଭକ୍ତ ଓ ଛାତ୍ରଛାତ୍ରୀ ବିଭିନ୍ନ ପୂଜା ପେଣ୍ଡାଲରେ ବିରାଜମାନ ପ୍ରଭୁ ଗଜାନନଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି। ଗତ ୩୧ତାରିଖ ବୁଧବାର ସନ୍ଧ୍ୟାରୁ ଜଟଣୀ ସହରରେ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସହରର ବିଭିନ୍ନ ଗଣେଶ ପୂଜା ପେଣ୍ଡାଲରେ  ପ୍ରଭୁ ଶ୍ରୀ ଗଣେଶଙ୍କ ସହିତ ମା ଲଷ୍ମୀ ଓ ସରସ୍ୱତୀଙ୍କୁ ଦର୍ଶନ କରୁଛନ୍ତି।

ଏହା ସହିତ ରାମଚନ୍ଦ୍ରପୁର ସ୍ଥିତ କୃପାସିନ୍ଧୁ ନଗରରେ ମହିଳା ମାନଙ୍କ ଦ୍ଵାରା ଗଜାନନଙ୍କ ପୂଜା କରିବାର ଦେଖିବାକୁ ମିଳିଥିଲା। ପୂଜା ପେଣ୍ଡାଲ ଏବଂ ଜନଗହଳି ଛକରେ ସ୍ଥାନୀୟ ପୋଲିସ ପକ୍ଷରୁ ସୁରୁଖୁରୁରେ ଟ୍ରାଫିକ ନିୟନ୍ତ୍ରଣ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ରାଜାବଜାର, ବଡ଼ ବଜାର, କୁଦୁଆରୀ ବଜାର, ମାଛ ମାର୍କେଟ, ଗୋଲେଇ ବଜାର, ପୋଷ୍ଟ ଅଫିସ ଛକ, ଥାନା ଛକ, ସିତା ରାମ ଛକ, ମହୁଲ ଗୁଡ଼ିଆ ଛକ, ହରିଭାଇନା ଛକ, ଖୁଦପୁର ଛକ, ଗୋପବନ୍ଧୁ ବଜାର, ହନୁମାନ ବଜାର, ମେଡିକାଲ ଛକ, ନୂଆ ବସଷ୍ଟାଣ୍ଡ, ରେତଙ୍ଗ କଲୋନୀ, ଟ୍ରାଫିକ କଲୋନୀ, ଲୋକ କଲୋନୀ ଏହିପରି ଅନେକ ସ୍ଥାନରେ ଗଣେଶ ପୂଜା ହେବା ସହିତ ନୂଆଗାଁ, ବାଛରା,କୁସୁମାଟି,ଷଣ୍ଢପୁର,ସ୍ଥାନ ମାନଙ୍କରେ ମଧ୍ୟ ଧୁମ୍ ଧାମରେ ଗଣେଶଙ୍କୁ ପୂଜା କରାଯାଉଛି।

ଜଟଣୀ ସହରରେ ୩ଟି ସ୍ଥାନରେ ଲୋକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ପଡିଥିବା ବେଳେ ଖୁଦୁପୁର ଛକ, ସୀତାରାମ ଛକ ଏବଂ କୁଦିଆରୀ ବଜାରରେ ମଧ୍ୟ ପରିବାର ସହ ମୀନା ବଜାରର ମଜା ନେଉଛନ୍ତି ଦର୍ଶକ । ଏହା ସହିତ ରାତିରେ ଜଟଣୀର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅପେରାର ମଜା ନେଉଛନ୍ତି ଯାତ୍ରାପ୍ରେମୀ ।

Leave a Reply

Your email address will not be published. Required fields are marked *