କିଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) : ୭ା୩: କିଟ ଓ କିସ୍ ପକ୍ଷରୁ ଗୁରୁବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ର ମହିଳା କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ସାମନ୍ତ କହିଲେ ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କ ଭଳି ଦକ୍ଷ ଓ କର୍ମଠ । ମହିଳାମାନେ ଆଜି ପ୍ରତିରକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି ମହାକାଶ ଗବେଷଣା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଓ ନିଷ୍ଠା ବଳରେ ସଫଳତା ହାସଲ କରିପାରୁଛନ୍ତି । କିଟ୍ ଓ କିସ୍ ସର୍ବଦା ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଆସୁଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ର ୫୦% ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା । କିଟ୍ ଓ କିସ୍ରେ କାର୍ଯ୍ୟ କରିବାର ଏଭଳି ବାତାବରଣ ରହିଛି ଯେଉଁଠି ପାରସ୍ପରିକ ସମ୍ମାନ ଓ ଆନନ୍ଦ ରହିଥାଏ । ସାମାଜିକ ବିକାଶ, ସୁଖ ଓ ସମୃଦ୍ଧିରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ ମହିଳାମାନେ ହେଉଛନ୍ତି ସମସ୍ତ ଶକ୍ତିର ଉତ୍ସ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମହିଳା କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
