ମା, ମାତୃଭାଷା ଓ ମାତୃଭୂମିକୁ ଭୁଲିବା ଉଚିତ ନୁହେଁ: ଉପରାଷ୍ଟ୍ରପତି
ଭୁବନେଶ୍ୱର : ୦୨/୦୪/୨୦୨୧: ଭାରତର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଶୁକ୍ରବାର ଦିନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିବା ଅବସରରେ ରାଜଭବନ ରେ ଆସି ପହଞ୍ଚିବା ସହିତ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ନାଇଡୁ କହିଛନ୍ତି । ଶ୍ରୀ ନାଇଡୁ କହିଲେ, ଆମେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପଢ଼ିଛୁ ମାତ୍ର ଜଣେ ମାଆଙ୍କ ଜୀବନୀ ଲେଖାଯିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ଓ ପ୍ରେରାଣାଦାୟୀ । କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ କହିଲେ, ଆମେ କେବଳ ମାନବସେବା କରିବା ନାହିଁ, ଆମେ ମାନବିକତାକୁ ମଧ୍ୟ ପୂଜା କରିବା ଉଚିତ । ଯଥେଷ୍ଟ କମ୍ ବୟସରେ ଶ୍ରୀ ସାମନ୍ତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି ବୋଲି ଗଣେଶୀଲାଲ୍ କହିଥିଲେ । ସୂଚନା ଯୋଗ୍ୟ ଯେ, ଅଚ୍ୟୁତ ସାମନ୍ତଙ୍କ ମାଆ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ନିଜ ପିଲାଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ମାଆ ଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଶିକ୍ଷାବିତ ଅଚ୍ୟୁତ ସାମନ୍ତ କିଭଳି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାହା ହିଁ ଏହି ପୁସ୍ତକର ନିଷ୍କର୍ଷ । ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଛନ୍ତି ସେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ଦେଇଛନ୍ତି । ନାରୀଶକ୍ତିର ପ୍ରଭାବ ସେ ପିଲା ଟି ବେଳୁ ଅନୁଭବ କରିଆସିଛନ୍ତି । ନାରୀଶକ୍ତି ସର୍ବଦା ସମାଜ ର ଉନ୍ନତି କରିଆସିଛି । ନାରୀଶକ୍ତିକୁ ଯେତେ ସଶକ୍ତ କରାଯିବ ଦେଶ ଓ ସମାଜର ସେତିକି ଉନ୍ନତି ହେବ ବୋଲି ଶ୍ରୀ ସାମନ୍ତ ବିଶ୍ୱାସ କରନ୍ତି । ଶ୍ରୀ ସାମନ୍ତଙ୍କ ପୁସ୍ତକଟି ନାରୀଶକ୍ତିକୁ କେନ୍ଦ୍ରକରି ଲେଖାଯାଇଛି । ଏହି ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀ ସାମନ୍ତ ନିଜ ମାଆଙ୍କ ଉଦାହରଣ ନେଇଛନ୍ତି । ନୀଳିମାରାଣୀ ଦେବୀଙ୍କ ଉଦ୍ୟମ, ଆଦର୍ଶ ଓ ପ୍ରେରଣା ଯୋଗୁଁ କଟକ ଜିଲ୍ଲାର ନିପଟ ମଫସଲ ଗାଁ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ସହିତ ପରେ ସ୍ମାର୍ଟ ଗ୍ରାମ ଏବଂ ମାଣପୁର କିଭଳି ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି ସେ ସଂପର୍କରେ ଏହି ପୁସ୍ତକରେ ବିଶେଷ ଆଲୋଚନା କରାଯାଇଛି । ମାତ୍ର ୪୦ ବର୍ଷ ବୟସରେ ସ୍ୱାମୀ ଅନାଦି ଚରଣ ସାମନ୍ତଙ୍କୁ ହରାଇ ଅଚ୍ୟୁତଙ୍କ ମାଆ ନୀଳିମାରାଣୀ ଦେବୀ ସଂପୂର୍ଣ୍ଣ ଅସହାୟ, ନିରାଶ୍ରୟ ଓ ବେସାହାରା ହୋଇପଡ଼ିଥିଲେ । ଏକ ଟ୍ରେନ୍ ଦୁର୍ଘଟଣାରେ ଅଚ୍ୟୁତଙ୍କ ପିତାଙ୍କ ଅକାଳ ମୃତ୍ୟୁ ପରେ ନୀଳିମାରାଣୀ ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂଘର୍ଷ ମଧ୍ୟରେ ଜୀବନ ଅତିବାହିତ କରି ଶେଷ ଜୀବନ ପର୍ଯ୍ୟନ୍ତ ନିଜ କନିଷ୍ଠ ପୁତ୍ର ଅଚ୍ୟୁତଙ୍କ ମାଧ୍ୟମରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଓ ସ୍ମାର୍ଟ ପଞ୍ଚାୟତ ମାଣପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ମୋଟାମୋଟି ଭାବେ ନୀଳିମାରାଣୀ ଦେବୀଙ୍କ ସଂଘର୍ଷମୟ ଜୀବନ ସହ ଅଚ୍ୟୁତ ପ୍ରତି ନୀଳିମାରାଣୀଙ୍କ ଅବଦାନ ହିଁ ପୁସ୍ତକର ମୁଖ୍ୟ ବିଷୟବସ୍ତୁ ।