ୟୁକ୍ରେନ୍‌ରୁ ଭାରତୀୟଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ପାଇଁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋପ୍‌ ପଠାଇବେ ମୋଦୀ

ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ୪ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋପୀୟ ଦେଶମାନଙ୍କୁ ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି।

ୟୁକ୍ରେନ୍‌ ସଙ୍କଟ ସମ୍ବନ୍ଧୀୟ ଆଜି ଦ୍ବିତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନ ଆଲୋଚ୍ୟ ବିଷୟ ଥିଲା ସେଠାରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା।

ଆଲୋଚନା ପରେ ସ୍ଥିର କରାଯାଇଥିଲା ଯେ, ସ୍ଥାନାନ୍ତରଣ ଅଭିଯାନରେ ସମନ୍ବୟ ରକ୍ଷା କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସନ୍ଧିଆ, କିରେନ୍‌ ରିଜିଜୁ ଏବଂ ଜେନେରାଲ୍‌ ଭି.କେ. ସିଂହଙ୍କୁ ୟୁକ୍ରେନର୍‌ ପଡ଼ୋଶୀ ରା‌ଷ୍ଟ୍ରମାନଙ୍କୁ ପଠାଯିବ।

ଏହି ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ରୁଷ୍‌ ଆକ୍ରମଣ କରିବା ପରେ  ବହୁସଂଖ୍ୟକ ଭାରତୀୟ ବିଶେଷକରି ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ଫସି ରହିଛନ୍ତି। ଭାରତ ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଶନିବାର ସୁଦ୍ଧା ସେଠାରୁ ୧୨୦୦ରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

Leave a Reply

Your email address will not be published. Required fields are marked *