ବନ୍ଧ ଖଣିରୁ ବେଆଇନ୍ ଉତ୍ତଳନ ଓ ପରିବହନ ଘଟଣା, ଠିକାଦାରଙ୍କୁ ନୋଟିସ୍ କରି ଚୁପ୍ ବସିଛି ଖଣି ବିଭାଗ

କେନ୍ଦୁଝର,(ପ୍ରବାହ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ନିୟମିତ ଭାବେ ଖଣିଜ ସମ୍ପଦ ଚୋରିର ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ବ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ, ରାଜ୍ୟରେ ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ମାଫିଆଙ୍କୁ ମୁଳପୂଛ କରିଦିଆଯିବ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଖଣିଚୋରିର ଆଭାସ ମିଳିଛି । ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦଢଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରୋଇଡା ସ୍ଥିତ ଓ ଏମଡି ଖଣି ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ବନ୍ଦ ହୋଇଥିବା ବେଳେ ସରକାର କେବଳ ବନ୍ଦ ପୂର୍ବରୁ ଉତ୍ତଳନ ହୋଇଥିବା ଖଣିଜ ପରିବହନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଉକ୍ତ କମ୍ପାନୀର କିଛି ଅସାଧୁ କର୍ମଚାରୀ ଓ ତୁଳସୀ ଟ୍ରାନ୍ସପୋର୍ଟ ନାମକ ପରିବହନ ଠିକାଦାର ନିୟମିତ ଭାବେ ବନ୍ଦ ଖଣି ପରିସରରୁ ଉଚ୍ଚମାନର ଖଣିଜ ଉତ୍ତୋଳନ କରି କୋଟି କୋଟି ଟଙ୍କା ମୁନାଫା କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୟ ହରାଉଛନ୍ତି । ଅଭିଯୋଗ ଅନୁଯାୟୀ, ନିମ୍ନମାନର ଖଣିଜଦ୍ରବ୍ୟ କ୍ରୟ କରି ପରିବହନ ଠିକାଦାର ଓ କମ୍ପାନୀ ଅଧିକାରୀଙ୍କୁ ହାତ କରିଥିଲେ ।
ଫଳରେ ବାରମ୍ବାର ଖଣିରୁ ଚୋରି କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି
ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯେ, ଉକ୍ତ ପରିବହନ ସଂସ୍ଥାର ମାଲିକିଆଣି ସ୍ଥାନୀୟ ବିଧାୟକଙ୍କ ସମର୍ଥକ ଓ ସ୍ଥାନୀୟ ସରପଞ୍ଚ ହୋଇଥିବାରୁ ନିଜର ରାଜନୈତିକ ପ୍ରତିପତି ଥିବାରୁ ବାରମ୍ବାର ଏପରି ଖଣିଜ ଚୋରି କରୁଛନ୍ତି । ଏଭଳି ବଡ଼ବଡ଼ିଆ ରାଜନେତାଙ୍କ ପାଖକୁ ପ୍ରଶାସନର ହାତ ପାଉନାହିଁ । ଫଳରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଗତ ମାସ ୨୬ ତାରିଖ ରୋଇଡା ସ୍ଥିତ ଓଏମଡିସି ଖଣିରୁ ପରିବହନ ନିମନ୍ତେ ୪୭ ଟି ଟ୍ରକ ଖଣି ମଧ୍ୟକୁ ଏକ ଟ୍ରାନ୍ସପୋର୍ଟର ଡିଓ ନେଇ ପ୍ରବେଶ କରିଥିବା ବେଳେ ସେଥିମଧ୍ୟରୁ ୩୦ଟି ଟ୍ରକ ଚୋରା ଲୁହା ପଥର ବୋଝେଇ କରି ଖଣି ପରିସରରୁ ବାହାରୁଥିବା ବେଳେ ଖଣିବିଭାଗ ଅତର୍କିତ ଚଢ଼ାଉ କରି ୧୩ ଗାଡ଼ିକୁ ଜବତ କରିଥିଲା । ଅବଶିଷ୍ଟ ୧୭ ଗାଡି ଚୋରା ଲୁହାପଥର ନେଇ ପଳାଇଥିଲେ । ବାହାରିଯାଇଥିବା ୧୭ ଟ୍ରକରେ ପ୍ରାୟ ୬୦୦ ଟନରୁ ଊର୍ଦ୍ଧ୍ୱ ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଖଣିଜ ଉତ୍ତୋଳନ କରି ବୋଝେଇ କାମରେ ନିୟୋଜିତ ହୋଇଥିବା ପୋକଲେନ ମେସିନକୁ ଏଯାବତ ଜବତ କରାଯାଇନାହିଁ । ଉକ୍ତ ଘଟଣାରେ କାହାକୁ ଗିରଫ କରାଯାଇନଥିବାରୁ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଖଣି ଅଧିକାରୀ ଉକ୍ତ ଖଣି ଦାୟିତ୍ୱରେ ରହିବା ସହ ଉପରିସ୍ଥ ଅଧିକାରୀଙ୍କ ସୁଫାରିସରେ ଆହୁରି ଅନେକ ଖଣିକୁ ନିଜ ଅକ୍ତିଆରରେ ରଖି ଏହିଭଳି ବେଆଇନ ଖଣିଜ କାରବାର କରୁଥିବା ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *