ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ JSW ପ୍ରକଳ୍ପ ଅଂଚଳରେ ପ୍ରତିଯୋଗିତା ମୁଳକ ପରୀକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ମାଗଣା ପ୍ରସ୍ତୁତି କେନ୍ଦ୍ର ଉଦଘାଟନ

ପାରାଦୀପ : ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତାବିତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ନୂଆଗାଁ ଠାରେ ପ୍ରତିଯୋଗିତା ମୁଳକ ପରୀକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି, ଯେଉଁଠାରେ ସ୍ଥାନୀୟ ଅଂଚଳର ସ୍ନାତକ ତଥା ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ  କରିଥିବା ଶତାଧିକ ମେଧାବୀ ଛାତ୍ରଛାତ୍ରୀ ମାଗଣାରେ ପ୍ରତିଯୋଗିତା ମୁଳକ ପରୀକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ କୋଚିଂ ଓ ପ୍ରଶିକ୍ଷଣ ପାଇପାରିବେ l ସ୍ଥାନୀୟ ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ, ପାରାଦୀପର ଏସ ଡି ପି ଓ ଶ୍ରୀ ସନ୍ତୋଷ ଜେନା, ଅଭୟଚନ୍ଦପୁର ଥାନା ଅଧିକାରୀ ଶ୍ରୀ ରାଜା କିଶୋର ବେହେରା ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସ୍ବାଇଁ,  ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ। 

        ଜେ ଏସ ଡ ବ୍ଲୁ ପ୍ରକଳ୍ପ ଅଞ୍ଚଳ ସ୍ଥାନୀୟ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ଶତାଧିକ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ସ୍ନାତକ ତଥା ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ କରିଥିଲେ ମଧ୍ୟ ଉପଯୁକ୍ତ କୋଚିଂର  ଅଭାବ, ଆର୍ଥିକ ସମସ୍ୟା ଓ ପାରିପାର୍ଶ୍ବିକ ଭିତିଭୂମିର ଅଭାବରୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିର ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ l  ଏହାକୁ ଉପଲବ୍ଧି କରି ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଓ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଏହି ଅଞ୍ଚଳରେ ଏକ ଉପଯୁକ୍ତ କୋଚିଂ ଓ  ପ୍ରଶିକ୍ଷଣ କେନ୍ଦ୍ରର ବ୍ୟବସ୍ଥା କରିବାକୁ ଜେ ଏସ ଡ ବ୍ଲୁ ଫାଉଣ୍ଡେସନକୁ ଅନୁରୋଧ କରାଯାଇ ଥିଲା l ଜେ ଏସ ଡବ୍ଲୁ ଫାଉଣ୍ଡେସନ ଏହି ବିଷୟକୁ ଗୁରୁତ୍ୱର ସହିତ ଅନୁଧ୍ୟାନ କରିବା ପରେ ରାଜ୍ୟରେ ପ୍ରତିଯୋଗିତା ମୁଳକ ପରୀକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ଅନୁଷ୍ଠାନ ଗୁରୁକୁଳ ଫାଉଣ୍ଡେସନ ସହିତ ଅନୁବନ୍ଧିତ କରିଥିଲେ l

          ଉଦଘାଟନୀ ଉତ୍ସବରେ  ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ  ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ଦ୍ୱାରା ପାରିପାର୍ଶ୍ବିକ ଉନ୍ନୟନ ସହିତ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଏହି ମହତ୍ଵପୁର୍ଣ ପଦକ୍ଷେପ ପାଇଁ ସାଧୁବାଦ ଜଣାଇବା ସହିତ ଏହି ଅଞ୍ଚଳରେ ଥିବା ଯୁବକଯୁବତୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ଏହି କେନ୍ଦ୍ର ମାଧ୍ୟମରେ ଉପକୃତ ହୋଇପାରିବେ ବୋଲି କହିଥିଲେ। ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସ୍ବାଇଁ ଜେ ଏସ ଡ ବ୍ଲୁ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହିତ ସ୍ଥାନୀୟ ଅଞ୍ଚଳର  ଛାତ୍ରଛାତ୍ରୀ ମାନେ କେନ୍ଦ୍ର ଦ୍ୱାରା ପ୍ରଶିକ୍ଷଣ  ଓ କଠିନ ପରିଶ୍ରମ କରି ସରକାରୀ ତଥା ଅନ୍ୟାନ୍ୟ ବିଭାଗରେ ଉଚ୍ଚ ପଦବୀରେ ନିଯୁକ୍ତ ପାଆନ୍ତୁ ବୋଲି ଆଶା ରଖିଥିଲେ। ସେହିପରି ସ୍ଥାନୀୟ ପାରାଦୀପ ଥାନାର ଏସ ଡି ପି ଓ ଶ୍ରୀ ସନ୍ତୋଷ କୁମାର ଜେନା ବର୍ତମାନର ଯୁବପିଢୀ ମାନଙ୍କ ପାଇଁ ବିଭିନ୍ନ ସରକାରୀ ବିଭାଗରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ଥିବାର ସୂଚନା ଦେଇଥିଲେ ଏବଂ JSW Foundation  ର ଏହି ପଦକ୍ଷେପ ଯୁବକଯୁବତୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଆଗ୍ରହ ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ଅନେକ ମାତ୍ରାରେ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଡି କେ ସିହ୍ନା ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। 

ସ୍ଥାନୀୟ ତିନି ପଞ୍ଚାୟତ ତଥା ଆଖପାଖରେ ଏଭଳି କୋଚିଂ ଓ ପ୍ରଶିକ୍ଷଣ ପାଇଁ କୌଣସି ସୁବିଧା ନ ଥିବାରୁ ଅନେକ ଛାତ୍ରଛାତ୍ରୀ ବିଶେଷ କରି  ଛାତ୍ରୀ ସ୍ନାତକ କିମ୍ବା  ସ୍ନାତକୋତ୍ତର ହାସଲ କରିବା ପରେ ଘରେ ରହିବାକୁ ବାଧ୍ୟ ହେଉଥିଲେ, ଏବେ ଘର ପାଖରେ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଏଭଳି ଏକ ସୁଯୋଗ ଯୋଗାଇ ଦେଇଥିବାରୁ ଆଗାମୀ ଦିନରେ ନିଜ ଭବିଷ୍ୟତ ଗଢ଼ିବା ସହିତ ନିଶ୍ଚିତ ଭାବେ ଭଲ ସରକାରୀ ଚାକିରୀ ଯଥା  ବ୍ୟାଙ୍କ, ରେଳବାଇ, ସେନାବାହିନୀ, ପୋଲିସ ବିଭାଗ, ଓଡିଶା ସ୍ତରର ପ୍ରଶାସନିକ ସେବା ଭଳି ଅନେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହାସଲ କରି ପାରିବେ ବୋଲି ଉଦଘାଟନ ଉତ୍ସବରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏ ଏମ ସନ୍ତୋଷିନୀ, ଅର୍ପିତା ପ୍ରିୟଦର୍ଶିନୀ, ଅରବିନ୍ଦ ସ୍ବାଇଁ ପ୍ରମୁଖ ମତ ଦେଇଥିଲେ। 

ଗୁରୁକୁଳ ଫାଉଣ୍ଡେସନର ମୁଖ୍ୟ ସୁରଜ କୁମାର ମିଶ୍ର  ପ୍ରଥମ ବ୍ୟାଚ୍ ରେ 55 ଜଣ ଆଗ୍ରହୀ ଛାତ୍ର ଛାତ୍ରୀ ନାମ ଲେଖାଇଥିବା ସୂଚନା ଦେଇଥିଲେ ଏବଂ ଏହି କେନ୍ଦ୍ରରେ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା କୋଚିଂ ଦିଆଯିବା ସହିତ ପିଲାମାନଙ୍କ ବ୍ୟକ୍ତିତ୍ଵ ବିକାଶ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଏହି ପ୍ରଶିକ୍ଷଣ କେନ୍ଦ୍ରରୃ ଶିକ୍ଷା ଲାଭ କରି ବିଭିନ୍ନ  ସରକାରୀ ଚାକିରୀ ସହିତ ଓଡ଼ିଶା ଷ୍ଟାଫ୍ ସିଲେକସନ ବୋର୍ଡ଼ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ପାରିବେ ବୋଲି ଆଶା ପ୍ରକାଶ କରିଥିଲେ l 

Leave a Reply

Your email address will not be published. Required fields are marked *