ବିଶ୍ୱ ଜଗନ୍ନାଥ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ

ନୂଆଦିଲ୍ଲୀ ତା ୧୬/୦୪ ଏଠାକାର ରୋହିଣୀ ର ସେକ୍ଟର ୨୪ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ ହୋଇଛି I

ଏହି ଅନନ୍ୟ ଏବଂ ନୂତନ ଧାର୍ମିକ ସମାରୋହ ଦୀର୍ଘ ଏକ ବର୍ଷ ଧରି ଚାଲିବାର କାର୍ଯ୍ୟକ୍ରମ  ଚୂଡାନ୍ତ କରାଯାଇଛି। ଭାରତ ବର୍ଷର ବିଭିନ୍ନ ଜଗନ୍ନାଥ ମନ୍ଦିର ଏବଂ ବିଶ୍ୱ ର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କ ରେ ଅନୁରୂପ ସଂକୀର୍ତ୍ତନ  ଉତ୍ସବମାନ ଆୟୋଜନ କରାଯିବ ବୋଲି ଉଦ୍ୟୋକ୍ତା ମାନଙ୍କ ସୂତ୍ରରୁ ପ୍ରକାଶ।ଶ୍ରୀ ଜଗନ୍ନାଥଙ୍କର କୀର୍ତ୍ତନ କୁ ପୃଥିବୀର ସମସ୍ତ କଥିତ ଭାଷାରେ ଅନୁବାଦ କରାଯାଇ ସୁଲଭ, ସାବଲୀଳ ଏବଂ ସୁମଧୁର ଢଙ୍ଗରେ ପରିବେଷଣ କରାଯିବ ବୋଲି ଏହାର ପ୍ରମୁଖ ପ୍ରବର୍ତ୍ତକ ତଥା ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ଏଠାରେ ଘୋଷଣା କରିଛନ୍ତି।

 ହୀନ୍ଦୁ ଶାସ୍ତ୍ର ଓ ରୀତିନୀତି ଅନୁଯାୟୀ ସତ୍ୟ ନାରାୟଣ ପୂଜାକୁ ଯେପରି ମାନ୍ୟତା ଦିଆଯାଇଛି ଏବଂ ଏହା ଯେଉଁଭଳି ପ୍ରସିଦ୍ଧି ଲାଭ କରିଛି, ଶ୍ରୀ ଜଗନ୍ନାଥ ପୂଜା ମଧ୍ୟ ସମଗ୍ର ଧରା ପୃଷ୍ଠରେ ସେହିପରି ଲୋକପ୍ରିୟତା ଏବଂ ଜନ ଆଦୃତି ହାସଲ କରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶାପୋଷଣ କରିଛନ୍ତି।ତଦନୁଯାୟୀ ଶ୍ରୀ ଜଗନ୍ନାଥ ପୂଜାଵିଧିର ଦୁଇ ଆଧାର ଯଥା ଭଜନ ଓ କୀର୍ତ୍ତନକୁ ବିଶ୍ଵ ବ୍ୟାପି ସମୁଚିତ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ସେ ସୁଚାଇଛନ୍ତି। ଜାତୀୟ ରାଜଧାନୀ କ୍ଷେତ୍ରର ଅଗ୍ରଣୀ  ସାଂସ୍କୃତିକ ସଂଗଠନ  ” ସ୍ୱର ସମର୍ପଣ”ର ସଂସ୍ଥାପକ ଶ୍ରୀ ଆଚାର୍ଯ୍ୟ, ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ର ପରିକଳ୍ପନା କୁ ସାରା ଜଗତର ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନେ ଭବ୍ୟ ସ୍ୱାଗତ ଜଣାଉଥିବା ଦର୍ଶାଇଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଆଚାର୍ଯ୍ୟ ଙ୍କର ତତ୍ତ୍ୱାବଧାନ ଓ ନିର୍ଦ୍ଦେଶନାରେ ଶ୍ରୀ ଜଗନ୍ନାଥଙ୍କର ସଂଗୀତକୁ ଭାରତ ବର୍ଷର ପ୍ରମୁଖ ୨୨ଟି ଭାଷା ରେ ଏବେ ଗାୟନ କରାଯାଉଛି। ୨୦୦୪ ମସିହାରେ ଆଚାର୍ଯ୍ୟ ଅଭିମନ୍ୟୁଙ୍କ ଦ୍ଵାରା ପ୍ରସ୍ତୁତ ଜଗନ୍ନାଥ ମହାମନ୍ତ୍ରର ଅଡିଓ ଓ ଭିଡ଼ିଓ,  ସାମାଜିକ ଗଣ ମାଧ୍ୟମ ଗୁଡିକରେ ବ୍ୟାପକଭାବେ ଚର୍ଚ୍ଚିତ ଏବଂ ଆଦୃତ ହୋଇଥିଲା। ଶ୍ରୀ ଆଚାର୍ଯ୍ୟ ଙ୍କର ନେତୃତ୍ୱରେ ୨୦୧୧ ମସିହାରେ ଗଜପତି ଦିବ୍ୟସିଂହ ଦେବଙ୍କର ଉପସ୍ଥିତିରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ଆନ୍ତଃରାଷ୍ଟ୍ରୀୟ ହିନ୍ଦୀ ଭକ୍ତିସଂଗୀତ ମହୋତ୍ସବ ବହୁ ଭାବରେ ପ୍ରଶଂସିତ ହୋଇଥିଲା।
ସଂକୀର୍ତ୍ତନ ମହୋତ୍ସବ ର ସୁଚାରୁ ରୁପେ  ଆୟୋଜନ ଓ ସୁପରିଚାଳନା କରିବାରେ ରୋହିଣୀ ମନ୍ଦିରର ପରିଚାଳନା କମିଟିର ସମ୍ପାଦକ ପବନ ଜୈନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଆଚାର୍ଯ୍ୟ ଅଭିମନ୍ୟୁଙ୍କର ପୋୖରହିତ୍ୟ ରେ  ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳୀ ଦ୍ୱାରା ପରିବେଶିତ  ସଂକୀର୍ତ୍ତନରେ ପ୍ରଭାକର ମଲ୍ଲିକ, ପ୍ରଭାତ ମଲ୍ଲିକ, ଶଶିକାନ୍ତ ବେହେରା, ସୁକାନ୍ତ ବେହେରା, ଶ୍ରୀବାସ୍ତବ ସ୍ୱାଇଁ ଏବଂ ସ୍ୱପ୍ନାରାଣୀ ରାଉତ ଆଦି କଳାକାରମାନେ ସହଯୋଗ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ  ରୀତା ପାତ୍ର,ସରୋଜ ପାଣିଗ୍ରାହୀ, ରିଷଭ ଜୈନ ଓ ଅନୁରାଧା ସାମନ୍ତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Leave a Reply

Your email address will not be published. Required fields are marked *