ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଗଡ଼ିଲା ସଚେତନତା ଅଭିଯାନ ରଥ

ଖୋର୍ଦ୍ଧା : ୫/୬ (ପ୍ରବାହ ନିଉଜ୍) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ଓ ସ୍ଥିରତା ନିମନ୍ତେ ପ୍ରସ୍ତୁତ ସଚେତନତା ଅଭିଯାନ ରଥ ଗୁଡିକୁ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ପତି ପ୍ରମୁଖ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ।

ଏହି ରଥ ଗୁଡିକ ସ୍ୱତନ୍ତ୍ର ଭାବେ ଆସନ୍ତା ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଳକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସଂଖ୍ୟା ନିୟନ୍ତ୍ରଣ ଓ ସ୍ଥିରତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଇବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ, ସହିତ ଗ୍ରାମାଞ୍ଚଳରେ ଏହି ସଚେତନତା ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢ଼ୀ କହିଥିଲେ ଯେ, ଚଳିତ ବର୍ଷର ବାର୍ତ୍ତା ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ ହୋଇଥିବା ବେଳେ ଛୋଟ ପରିବାର ସୁଖୀ ପରିବାରର ଉଦାହରଣ ଦେଇ ରାଜ୍ୟ ଓ ଜିଲ୍ଲାରେ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖିବା ଲାଗି ଗୁରୁତ୍ୱ ଦେବାକୁ କହିଥିଲେ । ଏ ନେଇ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ପରିବାର ନିୟୋଜନରେ ସାମିଲ ହୋଇଥିବା ଦମ୍ପତି ମାନଙ୍କୁ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି ।ଏହି ମହାମାରୀରୁ କେବଳ ଜନ ସଚେତନତା ହିଁ ଜନସଂଖ୍ୟା ବୃଦ୍ଧି ଉପରେ ନିୟନ୍ତ୍ରଣ ଲଗାଇ ପାରିବ।

କାର୍ଯ୍ୟକ୍ରମ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଦ୍ଵାରିକାନାଥ ଶତପଥୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ଗୀତାଞ୍ଜଳୀ ଦାଶ, ସହକାରୀ ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।