ଓଡ଼ିଶା ଅଗ୍ନିଶମ ଇତିହାସରେସୁବର୍ଣ୍ଣଯୁଗର ପ୍ରବର୍ତ୍ତକ:ସନ୍ତୋଷ ଉପାଧ୍ୟାୟ

ଅଳକାନନ୍ଦା ତ୍ରିପାଠୀ

ବ୍ୟସ୍ତବହୁଳ ଜୀବନଚକ୍ର ଭିତରେ ମଣିଷ ଲାଗି ନିଜ ଜୀବନ ବଂଚିବାଟା ହିଁ ଏକ ଆହ୍ୱାନ ହେଇଯାଏ।ଫୁରସତ୍ ମିଳେନା ।ତଥାପି ମଣିଷ ଭିତରେ ଇତିହାସକାରଟିଏ ଲୁଚି ରହିଥାଏ।ଆଉ ସେ ପ୍ରଛନ୍ନରେ ରହି ଚୁପଚାପ ଟିପି ରଖୁଥାଏ ତା’ ଚାରିପଟେ ଘଟୁଥିବା ସମସାମୟିକ ଘଟଣାକ୍ରମ ଗୁଡ଼ିକୁ। ହୁଏନ୍ସାଂ ,ମେଘାସ୍ଥିନିସ,ଫାହିୟାନକଂ ପରି କେତେ କେତେ ପରିବ୍ରାଜକ ଅତୀତରେ ଭାରତକୁ ଆସିଛନ୍ତି ଆଉ ଯାହାସବୁ ଭାରତ ବିଷୟରେ ଲେଖିଛନ୍ତି ସେଥିରୁ ଆମେ ସମକାଳୀନ ଚିତ୍ରଟିଏ ତିଆରି କରୁ ଭାରତର।ଯାହା ଭବିଷ୍ୟତ ପିଢ଼ି ଲାଗି ମାର୍ଗଦର୍ଶକ ହୁଏ ଏବଂ ତାହା ହିଁ ହୁଏ ଆମ ଦେଶର ଇତିହାସ। ତେବେ ଇତିହାସକାର ନ ହେଲେ ମଧ୍ୟ ଓଡିଶା ଅଗ୍ନିଶମ ସେବା ବିଭାଗରେ ଯେଉଁ କାଳଖଣ୍ଡଟି ବିତାଇଛି ତାକୁ ବେଲାଳସେନ ଭଳି ବର୍ଣ୍ଣନା କରିବାକୁ ଉଚିତ୍ ମନେକରୁଛି।

୨୦୨୨ ଏପ୍ରିଲ ମାସଠାରୁ ଅଗ୍ନିଶମ ବିଭାଗରେ ପରିବର୍ତ୍ତନ ଓ ବିକାଶର ଏକ ସମ୍ପୂର୍ଣ୍ଣ ଅଲଗା ଯୁଗଟିଏ ଆରମ୍ଭ ହୋଇଥିଲା।ଏହାର କର୍ଣ୍ଣଧାର ଥିଲେ ତାର ମୁଖ୍ୟ – ‘ସନ୍ତୋଷ ଉପାଧ୍ୟାୟ’।ଯେଉଁମାନେ ତାଙ୍କ ସହ କାମ କରିଛନ୍ତି , ସେମାନେ ଜାଣିଥିବେ ସେ କେତେ ନିରଳସ,ନିରାଡ଼ମ୍ବର,ନିର୍ଲିପ୍ତ,ଆତ୍ମସଂଯମୀ ବ୍ୟକ୍ତିତ୍ୱ।ତେଣୁ ଆଜି ବର୍ଷଟିଏ ସାଥୀରେ କର୍ମ କଲାପରେ ଆପଣାର ମଥା ଆପେ ଆପେ ନଇଁଯାଏ ‘ରଥର ସେଇ ସାରଥୀ ପାଖରେ’।

ବୋଧହୁଏ ଗୋଟିଏ ବର୍ଷରେ ଗୋଟିଏ ଯୁଗର କର୍ମ ସେ ସାରି ଦେଇଛନ୍ତି ବିଭାଗ ଲାଗି ,ଓଡିଶା ଲାଗି।ପ୍ରତ୍ୟେକ ଦିନଟିକୁ ସେ ବର୍ଷଟିଏ ପରି ଜିଇଁଛନ୍ତି।ବିଭାଗର ଦକ୍ଷତା ବିକାଶ ସହ ମାନବସମ୍ବଳ ସମ୍ରସାରଣ, ଆର୍ଥିକ ପରିଚାଳନାରେ ସ୍ୱଛ୍ଛତା ଆଣି ସେ ବିଭାଗକୁ ଏକ ନୂତନ ପରିଚୟ ଦେଇଛନ୍ତି।କେବଳ ସେତିକି ନୁହେଁ ବିଭାଗୀୟ ପରିଚାଳନାର ଯେଉଁ ନୀତି ନିୟମ ସବୁ ଅଭାବ ଥିଲା କିମ୍ବା ଜଟିଳ ଥିଲା ତାକୁ ସେ ସରଳ କରିଛନ୍ତି।୧୯୯୩ ମସିହାରେ ପୋଲିସ ବିଭାଗରୁ ଅଲଗା ହେଲାପରେ ଅଗ୍ନିଶମର ନିଜସ୍ୱ ଅଗ୍ନିଶମ ସେବା ମାନୁଆଲ୍ ଟିଏବି ନଥିଲା।ତାହା
ସେ କରେଇ ନେଇଛନ୍ତି। ଆଉ ଅଗ୍ନି ଶମର ବ୍ୟାପକ କର୍ମକ୍ଷେତ୍ରକୁ ଲକ୍ଷ କରି ତାକୁ ‘ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ରୂପେ ନାମିତ କରାଇଛନ୍ତି।ବିଭିନ୍ନ କ୍ୟାଡରରେ ୨୦୨୨-୨୩ ଆର୍ଥିକ ବର୍ଷ ରେ ଦୁଇଶହରୁ ଉଧ୍ୱ ପଦବୀ ସୃଷ୍ଟି କରିବା ସହ ଓଡ଼ିଶାର ଷ୍ଟ୍ରାଇକିଂ ଫୋର୍ସର ନିର୍ମାଣ ମଧ୍ୟ ହେଇଛି ।ଯାହା ଆଜି ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ରକ୍ଷାକର୍ତ୍ତା ସାଜିଛି ଓଡିଶା ପାଇଁ।ଓଡ଼ିଶାର ତିନୋଟି ସ୍ଥାନରେ ଅତ୍ୟାଧୁନିକ ଅଗ୍ନିନିର୍ବାପକ ଯନ୍ତ୍ର ଓ ଯାନରେ ସଜ୍ଜିତ କରାଯାଇ ଏହି ଫୋର୍ସକୁ ମୁତୟନ କରାଯାଇଛି। ଭୂବନେଶ୍ୱରରେ ନୂତନ ଭାବେ ତିନୋଟି ଦମକଳ କେନ୍ଦ୍ର ମଂଜୁର ସହ ବର୍ଷକ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଦମକଳ କେନ୍ଦ୍ର ଲୋକାର୍ପିତ ହୋଇସାରିଛି।ନୂତନ ବିମାନବନ୍ଦର ଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ଦାୟିତ୍ଵ ନିଆଯାଇଛି।ବାରିପଦାରେ ଦ୍ବିତୀୟ ଫାୟାରପାର୍କ ଉଦଘାଟିତ ହେଇଛି।
ଗତ ନଭେମ୍ବରମାସରେ ସଫଳତାର ସହ ବିଶ୍ବ ହକି ପରିଚାଳନା ପରେ ପରେ ପୁରୀ ସମ୍ରାଟ ହୋଟେଲର ଭୟାଭୟ ଅଗ୍ନିକାଣ୍ଡକୁ ଆୟତ୍ତ କରିବାର ଆହ୍ୱାନ ଆସି ପହଂଚି ଥିଲା ବିଭାଗ ପାଖରେ।’ଅପରେସନ ସମ୍ରାଟ’ ଜରିଆରେ ଯୋଧ୍ଧା ଟିଏ ଭଳି ନିଜ ଉପସ୍ଥିତବୁଦ୍ଧି ,ଅନୁଭବ, ନିଷ୍ଠା ବଳରେ ସେ ବିଭାଗକୁ ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଥିଲେ।ସେଦନ ନିଜେ ନିର୍ଭିକ ଆଗ୍ନିକଟିଏ ଭଳି ସେ ବଡଦାଣ୍ଡରେ ଓଲ୍ହାଇଥିଲେ ଓ ମହାବିପତ୍ତିରୁ ଜନଜୀବନ ରକ୍ଷା କରିଥିଲେ। ଏହିଭଳି ବିନା ଜୀବନ ହାନିରେ ଅନେକ ଦୂର୍ବିପାକର ସଫଳ ମୁକାବିଲା ପଛରେ ସେ ରହିଥିଲେ ନିୟନ୍ତ୍ରକ ହେଇ।

ନୂତନ ଯୁଗର ଆହ୍ବାନକୁ ଯୁଝିବା ଲାଗି ଦକ୍ଷ ମଣିଷବଳ ଲୋଡ଼ା।ତେଣୁ ୨୦୪୭ ସୁଧ୍ଧା ରାସାୟନିକ, ଆଣବିକ, ବୈଦୁତିକ ଇତ୍ୟାଦି ଅଗ୍ନିକାଣ୍ଡ ଓ ଅଘଟଣର ମାତ୍ରାକୁ କିପରି ମୁକାବିଲା କରାଯିବ ତଥା ସହରୀ ଅଗ୍ନିକାଣ୍ଡ,ବନ୍ୟା, ଦୂର୍ବିପାକ ମୁକାବିଲା ସହ ସରକାରୀ ଦପ୍ତର, କ୍ୱାଟରରେ ଅଗ୍ନିକାଣ୍ଡ ରୋକିବା ଲାଗି ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ଭଳି ଅନେକ ସାରଗର୍ଭକ ବିଷୟରେ ସେ ସମ୍ମୀଳନୀମାନ ଆୟୋଜନ କରି ଏକ ଗବେଷଣାତ୍ମକ ଦୃଷ୍ଟିକୋଣ ଦେଇଛନ୍ତି ଅଗ୍ନିଶମ ଅଧିକାରୀମାନଙ୍କୁ। ଅଗ୍ନିଶମନ ଓ ଦୁର୍ବିପାକ ଲାଗି ଆବଶ୍ୟକ ସାଧାରଣ କାର୍ଯ୍ୟଶୈଳୀର ପ୍ରଣୟନ ବା ଏସଓପି ତିଆରି କରି ଏକ ବିଧିବଦ୍ଧ ଉପାୟ ସହ ଦୁଃପରିସ୍ଥିତିର ମୁକାବିଲା କରାଇବା ଦିଗରେ ସେ ପଦକ୍ଷେପ ନେଇଛନ୍ତି।ନୂତନ ରୂପେ ଯୋଗଦାନ କରୁଥିବା କିମ୍ବା ପଦୋନ୍ନତି ପାଉଥିବା ଅଗ୍ନିଯୋଧ୍ଧାକଂ ପ୍ରଶିକ୍ଷଣକୁ ଅଧିକ ଶାଣିତ ଓ ଉପଯୋଗୀ କରିବା ଲାଗି ନୂତନ ପାଠ୍ୟକ୍ରମ ସେ ପ୍ରଣୟନ କରିଛନ୍ତି।

ଗୋଟିଏ ବର୍ଷ ଭିତରେ ଆଗ୍ନିକ ପଦବୀ ଠାରୁ ଆରମ୍ଭ କରି ମୁଖ୍ୟ ଅଗ୍ନିଶମ ଅଧିକାରୀ ଯାଏଁ ଗୋଟି ଗୋଟି କରି ପ୍ରତ୍ୟେକ କ୍ୟାଡ଼ରକୁ ପଦୋନ୍ନତି ଦେବାକୁ ସେ ଯେଉଁ ପ୍ରତିଗ୍ୟାଂ କରିଥିଲେ, ସବୁ ବାଧା ଏଡ଼ାଇ ସେ ତାକୁ କାର୍ଯ୍ୟକାରୀ କଲେ ।ସେଥିପାଇଁ କେବଳ କର୍ମଚାରୀ ନୁହେଁ କେତେ ପରିବାରରେ ସେ ଖୁସିର ଲହରୀ ଭରିଦେଇଛନ୍ତି ତାହା ଆକଳନ କରିହେବ ନାହିଁ।

ଆମେ ନିଜେ ଦେଖିଛୁ ସୋମବାରର ହେଲେ ଆମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଲାଗି ବାଲିଯାତ୍ରା ଭଳି ପ୍ରବଳ ଭିଡ଼ ହୁଏ।ସମସ୍ତକୁଂ ସେ ଦିନଯାକ ବିରକ୍ତ ନ ହେଇ ଶୁଣନ୍ତି।ଟେବୁଲ ଉପରେ ପୁଳାଏ ଚକୋଲେଟ ରଖିଥାଆନ୍ତି। ଆଉ ଯାହାର ଶୁଣାଣି ସରେ ସେ ଚକୋଲେଟ ପାଇ ଘରକୁ ଆଶ୍ୱସ୍ତିରେ ଯାଏ।କେତେ କେତେ ପିଲାମାଙ୍କୁ ମନମୁତାବକ ଟ୍ରାନ୍ସଫର୍ ସେ ଦେଇଛନ୍ତି ତାହା ଗଣିବା ମୁସ୍କିଲ୍। ବର୍ଷକରେ ଚାରି ହଜାର ଟ୍ରାନ୍ସଫର୍ ସେ କରିଥିବେ ଅଗ୍ନିଶମବିଭାଗରେ ।ବର୍ଷ ବର୍ଷ ଧରି ଦୂର ଦୂରାନ୍ତ ସ୍ଥାନରେ ପରିବାର ଛାଡି କାମ କରୁଥିବା ପିଲାମାନଂକ ପାଖରେ ସେ ନିଜେ ପହଞ୍ଚିଛନ୍ତି।ତାଙ୍କର କଥା ବୁଝିଛନ୍ତି।ଉତ୍ତର, ଦକ୍ଷିଣ, କେନ୍ଦ୍ରୀୟ ଅଗ୍ନିଶମ ଚକଲା ବା ରେଜଂ ଗୁଡ଼ିକରେ ମାନବସମ୍ବଳର ଉଚିତ ବଣ୍ଟନ ଲାଗି ସେ ନିଜେ ରାଜ୍ୟ ଯାକ ବୁଲି ବୁଲି ସବୁ ତଦାରଖ କରିଛନ୍ତି୍।ଭାରି ଖୁସି ଲାଗେ ଏସବୁ ଦେଖି।

ମୋର ମନେ ଅଛି ଏମିତି ଦିନେ ଏକ ଶୁଣାଣି ବେଳେ ୩୦ ବର୍ଷତଳେ ଛତ୍ରପୁର ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ନିଖୋଜ ଆଗ୍ନିକକଂ ପ୍ରାପ୍ତବୟସ୍କା ସ୍ତ୍ରୀ ପେନସନ ଗଣ୍ଡେ ପାଇବା ଲାଗି କାନ୍ଦି କାନ୍ଦି ଆସି ତାଙ୍କୁ ଜଣାଇଥିଲେ।ଚଉଦ ବର୍ଷ ଧରି ସବୁ ସରକାରୀ କବାଟ ବାଡେଇ ବାଡେଇ ସେ ନିରାଶ ହେଇସାରିଥିଲେ।କିନ୍ତୁ ସବୁ ଚିଠି ପତ୍ର ସତ୍ତ୍ୱେ ଏହାକୁ କେହି ସମାଧାନ କରିପାରିନଥିଲେ।କାରଣ ଅନୁପସ୍ଥିତ ରହିବା କାରଣରୁ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆ ଯାଇ ଆଗ୍ନିକକଂ ଚାକିରୀ ସମାପ୍ତ କରିଦିଆଯାଇଥିଲା ୧୯୯୫ ମସିହାରେ। ଆଉ ଏବେ ଏତେ ବର୍ଷ ପରେ ଏହାର ସମାଧାନର ପନ୍ଥା ମିଳୁନଥିଲା ।ଏଇ ବିରଳ ପେନସନ କେସ୍ ସମାଧାନ ପାଇଁ ପ୍ରଶାସନିକ ଓ ଆଇନଗତ ବାଧାଗୁଡ଼ିକ ହଟେଇବାର ଶ୍ରେୟ ସନ୍ତୋଷ ଉପାଧ୍ୟାୟକଂର।ତେଣୁ ଆଉ ଥରେ କେବଳ ଏହି କର୍ମଟି ଲାଗି ତାଙ୍କ ନିକଟରେ ମୁଣ୍ଡ ନୁଆଇଁବାକୁ ଭାରି ଇଚ୍ଛା ହୁଏ।କାରଣ ସେ ସବୁ କଥାର ଗଭୀରତାକୁ ବୁଝି ପାରନ୍ତି।

ଏମିତି ପ୍ରତ୍ୟେକ ଦିନ କାର୍ଯ୍ୟାଳୟରେ କିଛି ନା କିଛି ଚଳଚ୍ଚିତ୍ର ଚାଲେ।ସମ୍ପୂର୍ଣ୍ଣ ରୂପେ ଘଟଣାମୟ ସମୟ। ଆଉ ଦୁର୍ନୀତିର ଗନ୍ଧ ଟିକିଏ ନାକରେ ବାଜିଲେ ସେ ତାଣ୍ଡବଲୀଳା ରଚି ଦିଅନ୍ତି ସେ କାର୍ଯ୍ୟାଳୟରେ। ଦୁର୍ନୀତି ,ଅର୍ଥ କାରବାର, ପ୍ରିୟା ପ୍ରୀତିତୋଷଣକୁ ରୋକିବା ଲାଗି ସେ ସବୁ ଚେରକୁ ମୂଳରୁ ଉତ୍ପାଟନ କରିଛନ୍ତି।ଟ୍ରାନ୍ସଫର୍ ପ୍ରକ୍ରିୟା କୁ ସ୍ୱଛ୍ଛ କରିବା ଲାଗି ତଥା ଗାଦିମଡା ଅଫିସରଙ୍କୁ ଶୃଙ୍ଖଳିତ କରିବା ଲାଗି ସେ କଡ଼ା ନିୟମ ନେଇ ଆସିଛନ୍ତି।ଯାହା ସରକାରୀ ବିଭାଗମାନେ ଚାହିଁଲେ ବି ଆଜି ପର୍ଯ୍ୟନ୍ତ କରିପାରୁନାହାନ୍ତି। ବିଭାଗୀୟ କିଣାବିକାକୁ ସେ ଦୁର୍ନୀତି ରହିତ କରିବାକୁ ନିଜେ ଆପ୍ରାଣ ଚେଷ୍ଟା କରିଛନ୍ତି।ସଠିକ ସମୟଭିତରେ ବଜେଟ ଅର୍ଥକୁ ସଠିକ କାର୍ଯ୍ୟରେ ଲଗାଇବାକୁ ତାଙ୍କର ନିର୍ଦ୍ଦେଶ ଥାଏ।ସେ ନିର୍ଦ୍ଦେଶକୁ ପାଳନ କରିବାକୁ ଆମେ ମଧ୍ୟ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛୁ।

ଆମକୁ ସମୟାନୁବର୍ତ୍ତିତା ଓ ଶୃଙ୍ଖଳାର ସେ ମହାମୂର୍ତ୍ତି ଭଳି ଲାଗୁଥିଲେ।ନିଜ ଅଗ୍ନିଯୋଧ୍ଧା ଓ ଅଧିକାରୀକୁଂ ପ୍ରେରିତ କରିବା ଲାଗି ଯେତାଟି ପୁରସ୍କାର ଉତ୍ସବ ଏହି ବର୍ଷ ସେ କରାଇଛନ୍ତି ତାହା ଏକ ଅଭୂତପୂର୍ବ ଘଟଣା।କେବଳ ସେତିକି ନୁହେଁ ଅବସର ନେଉଥିବା ବିଭାଗର ସବୁ କାର୍ଯ୍ୟଳୟର ଅଧିକାରୀମାନଙ୍କୁ ଉଚିତ ସମ୍ବର୍ଦ୍ଧନା ସହ ଖେଳ ଓ ଫିଟ୍ ନେସ ଲାଗି ବହୁ ଅର୍ଥ ସେ ମଜୁଂର କରିଦେଇଛନ୍ତି।ଏହି ବର୍ଷ ପ୍ରଥମକରି ରାଜ୍ୟସ୍ତରୀୟ ଅଗ୍ନିଶମ ବିତର୍କ,ଭଲିବଲ୍,କବାଡି ପ୍ରତିଯୋଗିତାର ଶୁଭାରମ୍ଭ ହେଇଛି।କଲ୍ୟାଣପାଣ୍ଠିରୁ ଆହତ କର୍ମଚାରୀକଂ ଚିକିତ୍ସା ଲାଗି ସେ ଟଙ୍କା ମଂଜୁର କରିବା ବ୍ୟବସ୍ଥା ସେ କରିଛନ୍ତି।

ରାଜ୍ୟରେ ଅଗ୍ନିଶମ କର୍ମଚାରୀମାନଙ୍କ ରହିବା ଲାଗି ସରକାରୀ କ୍ୱାଟରର ନିର୍ମାଣ ଉଦ୍ଦେଶ୍ୟରେ ପ୍ରବଳ ଅର୍ଥ ରାଶି ସେ ସରକାରକଂ ଠାରୁ ମଜୁଂର କରାଇଛନ୍ତି।ଅଗ୍ନିଶମ ପ୍ରଶିକ୍ଷଣ ଅନୁଷ୍ଠାନରେ ନୂଆ କ୍ୟାନଣ୍ଟିନ, ସନ୍ତରଣାଗାର ସହ ଅନେକ ନୂତନ କାର୍ଯ୍ୟ ଆରମ୍ଭ ସେ କରିଛନ୍ତି।

ଆଉଗୋଟିଏ କଥା ଏଠି କହି ରଖିବାକୁ ଚାହେଁ ଏହି ବର୍ଷ ପ୍ରଥମ ଥର କରି ସର୍ବଭାରତୀୟ ସ୍ତରରେ ଓଡିଶା ଅଗ୍ନିଶମ ‘ସ୍କଚ୍’ ରୈପ୍ୟ ପୁରସ୍କାର ପାଇବା ପଛରେ ତାଙ୍କ ଆନ୍ତରିକତା ଆଉ ପ୍ରେରଣା ଖୁବ୍ କାମ କରିଥିଲା।ନିଜ ସାଧ୍ୟ ମତେ ଅଗ୍ନିଶମବିଭାଗର ଛୋଟରୁ ବଡ଼ ସଫଳତାକୁ ସେ ଘରେ ଘରେ ପହଞ୍ଚାଇଛନ୍ତି।କାରଣ ସେ ନିଜେ ହିଁ ବିଭାଗର ଖବର ଓ ମିଡ଼ିଆ ପରିଚାଳନା କରନ୍ତି।ଆଉ ପ୍ରଥମ କରି ସେ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ସମ୍ବାଦ ବୁଲିଟିନ୍ କୁ ନିଜେ ସମ୍ପାଦନା କରି ତାକୁ ପ୍ରକାଶିତ କରୁଥିଲେ।

ଶ୍ରୀ ଉପାଧ୍ୟାୟକଂ ସବୁଠାରୁ ବଡଗୁଣ ହେଉଛି -ତାଙ୍କର ସମୟୋଚିତ ଏବଂ ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା।ଆମେ ଥଟ୍ଟାରେ ତାଙ୍କ ପଛପଟେ ତାଙ୍କୁ ‘ଦୁଇ ମିନିଟ ‘ ଅଫିସର କହୁ।କୈଣସି ଫାଇଲ୍ ଯେତେ ଜଟିଳ ହେଉ ତାଙ୍କ ପାଖରେ ତାର ଜୀବନ କାଳ ମାତ୍ର ଦୁଇ ମିନିଟ୍।କାର୍ଯ୍ୟାଳୟରେ ଯାହା କାମଥିବ ତାକୁ ମାଗି ମାଗି ନ କରିବା ଯାଏଁ ସେ ଶାନ୍ତିରେ ବସିବେନି କି କାହାକୁ ବସେଇ ଦେବେନି।କାର୍ଯ୍ୟାଳୟରେ ଅନାବଶ୍ୟକ କଥା ହେବେନି କି ସମୟନଷ୍ଟ କରିବେନି। ତେଣୁ ଖୁବ୍ କମ ସମୟରେ ବହୁତ କାମ କରିହୁଏ ତାଙ୍କ ପାଖରେ। ତାଙ୍କ କାର୍ଯ୍ୟ କାଳଶେଷ ଦିନ ମଧ୍ୟ ସେ ଭୂବନେଶ୍ୱରରେ ଅଗ୍ନିଶମର ତିନୋଟି କେନ୍ଦ୍ର ଲୋକାର୍ପଣ କରିଛନ୍ତି।ସେଥିଯୋଗୁଁ ଓଡ଼ିଶାରେ ବର୍ତ୍ତମାନ ଅଗ୍ନିଶମ କେନ୍ଦ୍ର ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି।ଚିରତରୁଣ ଭଳି ତାଙ୍କର କର୍ମ ତତ୍ପରତା ସତରେ ଅନନ୍ୟ।

ଆମେ ଦେଖିଛୁ ଏତେ ବ୍ୟସ୍ତଥାଇ ମଧ୍ୟ ଏହି ମଣିଷପାଖରେ ନିଜସ୍ଵ ଅର୍ଦଳୀଟିଏ ବି ନଥିଲେ।କାରଣ ସେ ନିଜେ ରଖିବାକୁ ଭଲପାଉନଥିଲେ।ତାଙ୍କୁ ସାହାଯ୍ୟ କରିବାକୁ ସହଯୋଗୀ ଉଚ୍ଚ ଅଫିସର ନଥିଲେ । ନିଜସ୍ୱ ପାଉଣା ଦେଇ କାର୍ଯ୍ୟାଳୟର ଖଣ୍ଡେ ଗାଡ଼ି ଛଡା କିଛି ସୁବିଧା ସୁଯୋଗ ସେ ଭୋଗ କରୁନଥିଲେ। ଆମେ ଅନାବଶ୍ୟକ ଭାବେ ପ୍ରିଣ୍ଟ ଲାଗି କାଗଜ ଅପଚୟ କଲେ ଵ୍ୟସ୍ତ ବିବ୍ରତ ହେଇପଡୁଥିଲେ।କର୍ମକ୍ଷେତ୍ରରେ ଏତେ ପ୍ରଲୋଭନ ଥାଇ, ସୁବିଧାନେବାର ଅଧିକାର ଥାଇ ସୁଧ୍ଧା ବୈରାଗ୍ୟ ଓ ଆତ୍ମସଂଯମତାର ଏମିତି ଉଦାହରଣ ଆଜିକାଲିର ଦେଖାଣିଆ ଯୁଗରେ ବିରଳ।

ସରକାରୀ ପିଚ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପ୍ଟେନ ଭଳି ସେ ଆମକୁ ଲାଗୁଥିଲେ।ତୀକ୍ଷଣ୍ ବୁଧ୍ଧି ଓ ଉଚ୍ଚ ବିବେକଯୁକ୍ତ ଏଭଳି ଲୋକକଂ ସହ କର୍ମ କରିବାର ସୁଯୋଗ ପାଇବା ଭାଗ୍ୟର କଥା।ମଣିଷର ନିଜ ଆତ୍ମାର ଉନ୍ନତି ହେଇଯାଏ।ମଣିଷ ଦତ୍ତ ପଦବୀରୁ ଉର୍ଦ୍ଧ୍ବକୁ ଉଠି ମାଟିର ରୁଣ ଯେ ସୂଝିବାକୁ କର୍ମ କରେ ସେ ଚିର ନମସ୍ୟ।ତିରିଶ ବର୍ଷର ତାଙ୍କ କାର୍ଯ୍ୟ କାଳରେ ମାତ୍ର ହାତଗଣତି କେତୋଟି ମାସ ତାଙ୍କ ସହ କାର୍ଯ୍ୟ କରିପାରଥିବାରୁ ନିଜକୁ ଭାଗ୍ୟହୀନ ମନେକରେ।

ତଥାପି ଯୁଗେ ଯୁଗେ ଶକ୍ତ ଆତ୍ମବଳ ଯୁକ୍ତ ,ମନୋବଳ ଯୁକ୍ତ ଏହି ଲୋକମାନେ ହିଁ ଇତିହାସ ରଚନା କରିବାରେ ସକ୍ଷମ।ମଣିଷର ମାର୍ଗଦର୍ଶନ କରିବାରେ ସକ୍ଷମ।ସମାଜର ମଗଂଳ ସାଧନ କରିବାରେ ସକ୍ଷମ।ତେଣୁ ଦୂରଦୃଷ୍ଟି ଓ ପୂରୋଦୃଷ୍ଟି ସମ୍ପନ୍ନ ଏହି କର୍ମଯୋଗୀ ମାର୍ତ୍ତଣ୍ଡକୁଂ ସମୟ ଓ ସମାଜ ନିଜେ ଦଣ୍ଡାୟମାନ ହେଇ ହୃଦୟରୁ ପ୍ରଣାମଟିଏ କରୁ ଏହା ହିଁ ପ୍ରାର୍ଥନା।

Leave a Reply

Your email address will not be published. Required fields are marked *