ଗହୀରମଥାର ଦୁଇ ଦିନରେ ଏକଲକ୍ଷ କଇଁଛ ଛୁଆ ସମୁଦ୍ରମୁହାଁ

ରାଜନଗର ; ଅଲିଭରିଡଲେ କଇଁଛର ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ବିଶେଷକରି ଗହୀରମଥାର ନାଶୀ-୨ରେ ଅଲିଭରିଡଲେ କଇଁଛ ଲକ୍ଷଲକ୍ଷ ସଂଖ୍ୟାରେ ଆସି ଅଣ୍ଡା ଦେଇଥାନ୍ତି । ଜଳବାୟୁ ପରିବର୍ତନ ଫଳରେ ଏହି ନାଶୀ-୨ ପ୍ରଭାବିତ ହେବାରେ ଲାଗିଛି । ଉଚ୍ଚ ଜୁଆର ଆସି ନାଶୀ-୨ର କିଛି ଅଂଶ ବୁଡି ଯିବା ଫଳରେ କଇଁଛ ଅଣ୍ଡା ବହୁ ପରିମାଣରେ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏହି ନାଶୀ-୨ ଏକ ବିସ୍ତୃତ ଦୀପାଚଂଳ ଭାବରେ ଅଲିଭରିଡଲେ କଇଁଛର ଅନ୍ତୁଡିଶାଳ ଭାବରେ ପରିଚୟ ଲାଭ କରିଥିଲା । ପୂର୍ବରୁ ପ୍ରାୟ ୩୫ହେକ୍ଟର ଅଂଚଳରେ ମା କଇଁଛ ଅଣ୍ଡା ଦେଉଥିଲେ । ଏହା କ୍ଷୟ ହୋଇଯିବାରୁ ମାତ୍ର ୧୫ହେକ୍ଟର ଅଂଚଳରେ ଅଣ୍ଡାଦାନ କରୁଛନ୍ତି । ସାଧାରଣତଃ ଦକ୍ଷିଣା ପବନ ବହିଲେ ଏହି ଦୀପାଚଂଳ କ୍ଷୟ ହୋଇଥାଏ । ମାତ୍ର ଉତରା ପବନ ବହିଲେ ଏହା ପୁନର୍ବାର ବୃଦ୍ଧି ହୋଇଥାଏ । କିଛି ବର୍ଷ ହେବ ଯେଉଁ ପରିମାଣରେ କ୍ଷୟ ହେଉଛି, ସେହି ପରିମାଣରେ ବୃଦ୍ଧି ହେଉନାହିଁ । ଯାହାକି ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭରିଡଲେ ମା କଇଁଛ ସଙ୍କୁଚିତ ଜାଗାରେ ଅଣ୍ଡା ଦେବା ଫଳରେ ଅନେକ ଅଣ୍ଡା ନଷ୍ଟ ହୋଇଯାଉଛି । ଜଳବାୟୁ ପରିବର୍ତନ ଫଳରେ ସମୁଦ୍ରର ଜଳପତନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ଅଲିଭରିଡଲେ କଇଁଛର ଅଣ୍ଡାଦାନ ପ୍ରକ୍ରିୟାକୁ ସଂପୂର୍ଣ୍ଣ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି । ଗତ ୨୨ତାରିଖ ଦିନ ୨୫ହଜାର ଅଲିଭରିଡଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ରକୁ ଚାଲି ଯାଇଛନ୍ତି । ୨୩ତାରିଖ ଦିନ ୭୫ହଜାର କଇଁଛ ଛୁଆ ସମୁଦ୍ର ଅଭିମୁଖେ ଯାଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଉଚ୍ଚ ଜୁଆର ମାଡିଯାଉଥିବାରୁ ବହୁ ପରିମାଣରେ ଅଣ୍ଡା ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଲଘୁଚାପଜନିତ ବର୍ଷା ହେଉଥିବାରୁ ବାଲି ବସି ଟାଣ ହୋଇଯାଉଛି । ବସାରୁ ବାହାରିବା ସେମାନଙ୍କ ପାଇଁ କଷ୍ଟକର ହେବାର ଆଶଙ୍କା ଦେଖାଦେଇଛି । ଅଲିଭରିଡଲେ କଇଁଛ ଛୁଆ କମି ଯିବାର ଆଶଙ୍କାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *