ଶହଶହ କର୍ମଚାରୀ ଛାଡ଼ୁଛନ୍ତି ଟୁଇଟର୍ ଚାକିରି, ବନ୍ଦ ହେଲା ଅଫିସ୍‌

ନୂଆଦିଲ୍ଳୀ: ଟ୍ବିଟର୍‌ର ନୂଆ ମାଲିକ ଏଲନ୍ ମସ୍କଙ୍କ ‘ହାର୍ଡକୋର ୱାର୍କ’ ନିଷ୍ପତ୍ତି ପରେ ଶହଶହ କର୍ମଚାରୀ ଚାକିିରିରୁ ଇସ୍ତଫା ଦେଇଛନ୍ତି। ସିଏନ୍‌ବିସିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବହୁସଂଖ୍ୟକ କର୍ମଚାରୀଙ୍କ ଇସ୍ତଫା ପରେ ଟ୍ବିଟର୍‌ର ଅନେକ କାର୍ଯ୍ୟାଳୟ ସୋମବାର ବନ୍ଦ ରହିଥିଲା। ତେବେ ମସ୍କ ଟୁଇଟ୍ କରି ଲେଖିଛନ୍ତି କି ମୁଁ ଆଦୌ ଚିନ୍ତିତ ନୁହେଁ, ମୋ ସହ ସର୍ବଶ୍ରେଷ୍ଠ କର୍ମଚାରୀମାନେ ଅଛନ୍ତି।

ୱାର୍କପ୍ଲେସ୍‌ ଆପ୍‌ ବ୍ଲାଇଣ୍ଡ୍‌ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ‌ଯେ ୧୮୦ ଜଣଙ୍କ ମଧ୍ୟରୁ ୪୨ ପ୍ରତିଶତ କର୍ମଚାରୀ ଚାକିରି ଛାଡ଼ିବାକୁ ବିକଳ୍ପ ଭାବେ ଚୟନ କରିଛନ୍ତି। ସେହିପରି ୨୫ ପ୍ରତିଶତ କର୍ମଚାରୀ ଦ୍ବନ୍ଦ୍ବ ଏବଂ ଅନିଚ୍ଛାପୂର୍ଣ୍ଣ ଭାବେ ଚାକିରିରେ ରହିବାର ନିଷ୍ପତ୍ତି ନେଇଛନ୍ତି। କେବଳ ୭ ପ୍ରତିଶତ କର୍ମଚାରୀ କମ୍ପାନି ସହ ରହି କାମ କରିବାକୁ ହଁ ଭରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇଦେଉଛୁ ଯେ ୱାର୍କପ୍ଲେସ୍‌ ଆପ୍‌ ବ୍ଲାଇଣ୍ଡ୍‌ ବିଶ୍ବସ୍ତରରେ କର୍ମଚାରୀମାନଙ୍କ ସଂପର୍କରେ ଯାଞ୍ଚ୍‌ କରିଥାଏ। କାର୍ଯ୍ୟ ସଂପର୍କିତ ଇ-ମେଲ୍‌ ଓ ଠିକଣାକୁ କେନ୍ଦ୍ର କରି ଏହି ଆପ୍‌ କର୍ମଚାରୀଙ୍କ ଉପରେ ନଜର ରଖିଥାଏ।

ତେବେ କିଛି କର୍ମଚାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବହୁସଂଖ୍ୟକ କର୍ମଚାରୀ ଚାକିରି ଛାଡ଼ିବା ପରେ ମସ୍କ କିଛି ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଭେଟି ଚାକିରି ନଛାଡ଼ିବାକୁ ମନାଇବାର ଚେଷ୍ଟା ବି କରିଛନ୍ତି। ତେବେ, ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ମସ୍କ କେଉଁ କେଉଁ କର୍ମଚାରୀଙ୍କୁ ନିଜ କମ୍ପାନିରେ ରଖିବା ପାଇଁ ଚିନ୍ତା କରିଛନ୍ତି।

ନିକଟରେ ମସ୍କ କମ୍ପାନିର ଅନେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ଛଟେଇ କରିବା ସହ କମ୍ପାନିର କାର୍ଯ୍ୟଶୈଳୀକୁ ବି ବେଶ୍‌ ତରବରିଆ ଭାବେ ବଦଳାଇ ଦେଇଛନ୍ତି। ଯେଉଁ କାରଣରୁ କର୍ମଚାରୀଙ୍କ ନିକଟରେ ମସ୍କ ଆଉ ବିଶ୍ବସନୀୟ ହୋଇ ରହି ପାରିନାହାନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *