ଲୋହିଆ ଏକାଡ଼େମୀରେ ୱାଙ୍ଗଚୁକଙ୍କୁ ନାଗରୀକ ସମ୍ବର୍ଦ୍ଧନା

0
2829ea95-23b8-46fb-a4af-948e9eab46cd

ପୃଥିବୀଲଦାଖ ଠାରୁଶିଖୁ- ସୋନମ ୱାଙ୍ଗଚୁକ

ଭୁବନେଶ୍ଵର,ତା୨୭/୦୪: ରମଣ ମ୍ୟାଗାସେସେ ସମ୍ମାନର ଅଧିକାରୀ ତଥା ଲଦାଖର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମସ୍ୟା ସମାଧାନ ପାଇଁ ସତ୍ୟାଗ୍ରହ କରି ଦେଶ ତଥା ବିଶ୍ଵରେ ପ୍ରସିଦ୍ଧିଲାଭ କରିଥିବା ସୋନମ ୱାଙ୍ଗଚୁକ ଦିନିକିଆ ଗସ୍ତରେ ଭୁବନେଶ୍ଵର ଆସି ଲୋହିଆ ଏକାଡେମୀ ପରିସରରେ ପରିବେଶ ପାଇଁ ସେଠାରେ ଦେଖାଦେଇଥିବା ବିପତ୍ତି ଓ ସରକାରଙ୍କ ଭୁଲ ନୀତି ବାବଦରେ ଅଭିଭାଷଣ ପ୍ରଦାନ କରିଥିଲେ । ଲୋହିଆ ଏକାଡ଼େମୀ, ଜନ ଆନ୍ଦୋଳନର ରାଷ୍ଟ୍ରୀୟ ସମନ୍ଵୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଇନସାଫର ମିଳିତ ଆନୁକୁଲ୍ୟରେ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ୱାଙ୍ଗଚୁକ କହିଲେ ଯେ,ଆମ ସରକାର ଭାରତକୁ ବିଶ୍ଵଗୁରୁ କରିବାକୁ ଚାହାନ୍ତି । ଆମେ ବି ଚାହୁଁ ଯେ ଭାରତ ବିଶ୍ଵଗୁରୁ ହେଉ । ତେବେ ବସୁଧୈବ କୁଟୁମ୍ବକମ ନୀତିରେ ଏହା ହୋଇପାରିବ । ଅନ୍ଧାଧୁନ ପ୍ରାକୃତିକ ସମ୍ପଦର ଦୋହନରେ ଏହା ହୋଇପାରିବା ସମ୍ଭବ ନୁହେଁ । ଆମେ ଲଦାଖରେ ହିମାଳୟର ସୁରକ୍ଷା ନିମନ୍ତେ ସତ୍ୟାଗ୍ରହ ଚଳାଇଛୁ । ତେବେ ହିମାଳୟ ସୁରକ୍ଷିତ ରହିବା ଅର୍ଥ କେବଳ  ଲଦାଖ ବା ଭାରତ ସୁରକ୍ଷିତ ରହିବ ନାହିଁ । ଏହା ସମଗ୍ର ବିଶ୍ଵ ପାଇଁ ଜରୁରୀ । ହିମାଳୟର ନଦୀ ଗୁଡିକ ଚିରଶ୍ରୋତା । ହେଲେ ଏସବୁ ନଦୀ ଗ୍ଲାସିଅରମାନଙ୍କ ଉପରେ ନିର୍ଭରଶୀଳ । ଏବେ କିନ୍ତୁ ଗ୍ଲାସିଅର ସବୁ ତରଳିବା ଆରମ୍ଭ କଲେଣି । ଆମ ଅଞ୍ଚଳରେ ଅନିୟମିତ ବର୍ଷା ଓ ବନ୍ୟା ଦେଖାଦେଲାଣି । ଯାହା ଆମପାଇଁ ଏକଦମ ନୂଆ କଥା । ଯାହା ଏବେ ଘଟୁଛି, ସେପରି ସୁଦୂର ଅତୀତରେ କେବେବି ଘଟି ନଥିଲା। ବିକାଶର ପରିଭାଷା ବଦଳିବା ଦରକାର । ଲଦାଖରେ ଆମେ ଦୈନିକ ୫ ରୁ ୧୦ ଲିଟର ପାଣି ବ୍ୟବହାର କରୁ । ହେଲେ ୟୁରୋପ ଆମେରିକାର ଲୋକମାନେ ଶହେ ଦେଢଶହ ଲିଟର ପାଣି ପ୍ରତ୍ୟହ ବ୍ୟବହାର କରନ୍ତି । ଯଦି ଆମେ ସେମାନଙ୍କ ଭଳି ହେବା, ତେବେ ପୃଥିବୀରେ ପାଣି ରହିବ ତ ?

            ଏହି ପୃଥିବୀ ଏକ ପରିବାର ଭଳି । ଏହା ସମସ୍ତଙ୍କ ପାଇଁ ଏକ ଆଶ୍ରୟସ୍ଥଳ ଅଟେ । ଆମ ମଣିଷମାନଙ୍କର ଏହା ଯେମିତି ଆଶ୍ରୟସ୍ଥଳ, ସେମିତି ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନ ଓ ବୃକ୍ଷ ଲତାଙ୍କ ନିମନ୍ତେ ବି । ଆଜି ଆମେ ମିଛ ବିକାଶ ପଛରେ ଗୋଡାଉଛୁ । ଆମର ଅଭିବୃଦ୍ଧି ହାର ଆଠ ପ୍ରତିଶତ ଦରକାର ପୁଣି ଜିଡିପି ଦଶ ପ୍ରତିଶତ ଆବଶ୍ୟକ । ହେଲେ ଆମେ ଯଦି ଜୀବଜନ୍ତୁଙ୍କର ପ୍ରତିଶତ ଦେଖିବା, ତେବେ ଏହାର ଭୟାନକ ସ୍ଥିତି ଦେଖିବାକୁ ପାଇବା । ବିଗତ ପଚାଶ ବର୍ଷରେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କର ସତୁରୀ ପ୍ରତିଶତ ପ୍ରଜାତି ଲୋପ ପାଇସାରିଲେଣି । ତିରିଶ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇସାରିଲାଣି।  ଆଉ ପଚାଶ ବର୍ଷରେ ଏମାନେ ସମୂଳେ ଲୋପ ପାଇଯିବେ । ସେତେବେଳେ ଯାଇ ଆମର ଏହି ହାୱାମହଲ ତାସଘର ଭଳି ଭୁସୁଡି ପଡିବ । କାରଣ ଆମେ ଏହି ଜୀବ ଜନ୍ତୁ, ଜଙ୍ଗଲମାନଙ୍କ ଉପରେ ନୀର୍ଭରଶୀଳ । ଏସବୁ ଲୋପ ପାଇଗଲାପରେ  ଆମେ ଏହି ପୃଥିବୀରେ ଏକା ରହିଯିବା । ଆଉ ଆମ ପୃଥିବୀ ଚନ୍ଦ୍ର ବା ମଙ୍ଗଳ ଭଳି ବଞ୍ଜର ହୋଇଯିବ । ଆମେ ଏକ ଶସ୍ୟଶ୍ୟାମଳା ପୃଥିବୀକୁ ନଷ୍ଟ କରିଦେବାକୁ ବସିଛୁ । ଏହାକୁ କିଭଳି ବିକାଶ କହିବା ? ଏବେ ତ ଆମକୁ ଲଣ୍ଡନ ଓ ନ୍ୟୁଅର୍କକୁ ଶିଖାଇବାକୁ ହେବ ଯେ, ଏହା ବିକାଶ ନୁହେଁ ବିନାଶ । ଆପଣମାନେ ଆମଭଳି ହୁଅନ୍ତୁ । ଆମେ ସେମାନଙ୍କ ଭଳି ହେବା ଆବଶ୍ୟକ ନାହିଁ । ସମସ୍ତଙ୍କ ଜୀବନ ବଞ୍ଚାଇବା ଦିଗରେ କାମ କରିବାକୁ ହେବ, କାହାର ଜୀବନ ନେବାକୁ ନୁହେଁ । ଅଳ୍ପ କେତେଜଣ ବଡ ଲୋକଙ୍କ ଅୟାସୀ ଓ ଲୋଭ ନିମନ୍ତେ ଭବିଷ୍ୟତ ପିଢୀ ଓ ଆମେ ସମସ୍ତେ ବଳି ଚଢୁଛୁ । ଆଜକୁ ଅଢେଇ ହଜାର ବର୍ଷ ପୂର୍ବେ ଭଗବାନ ବୁଦ୍ଧ କହିଥିଲେ ଯେ,ନିଜର ଇଚ୍ଛାକୁ ଶେଷ କରିବାକୁ ପଡିବ,ଲୋଭର ବିନାଶ ଆଧାରରେ ହିଁ ଆମ ସମାଜ ଗଢିଉଠିଥିଲା । ଲୋଭର କୌଣସି ଅନ୍ତ ନାହିଁ । ଆମ ଛାତିରେ ଏକ ଡବା ରହିଛି, ସେଥିରେ ଆମେ ସାଇକେଲଟିଏ ରଖି ଭାବନ୍ତି ଯେ, ଆମକୁ ଖୁସି ମିଳିବ, ହେଲେ ସେଥିରେ ଖୁସି ମିଳେ ନାହିଁ । ଆମେ ସେହି ଡବାରେ ମୋଟର ସାଇକେଲ, କାର, ପୁଣି ଉଡାଜାହାଜ ପକାଇଲେ ବି ଖୁସି ମିଳେ ନାହିଁ । ପୁରା ଦୁନିଆ ସେଥିରେ ପକାଇଦେଲେ ବି ଏହି ଡବା ଭରେ ନାହିଁ । ପରେ ଜଣାପଡେ ଯେ, ଏହି ଦବାର ତଳ ମେଲା ବୋଲି । ଅର୍ଥାତ ଲୋଭର କୌଣସି ଅନ୍ତ ନାହିଁ । ଆମ ଜନ ଜାତିର ଲୋକେ ପାହାଡ,ଜଙ୍ଗଲରେ, ଲଦାଖରେ  ଯେଉଁମାନେ ରହୁଛନ୍ତି ସେମାନଙ୍କଠାରୁ ଆମେ ଅଳ୍ପରେ ସନ୍ତୁଷ୍ଟ ହେବା ଆମେ ଶିଖିବା ଆବଶ୍ୟକ ଓ ସାରା ଦୁନିଆକୁ ଶିଖାଇବା ଆବଶ୍ୟକ।  ତେବେ ଯାଇ ବିକାଶର ଏହି ଅନ୍ଧାଧୁନ ଦୌଡ ବିରୋଧରେ ଆମେ କ୍ରାନ୍ତି କରିପାରିବା ।

                        ଲଦାଖରେ ଆଜି ଯାହାସବୁ ହେଉଛି ତାହା ଆମକୁ ବିନାଶ ଆଡକୁ ଟାଣି ନେଉଛି । ଆଜି ଲଦାଖ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଅଟେ । ଏଠାରେ ନିଜର ପକ୍ଷ ରଖିବାକୁ କୌଣସି ଗଣତାନ୍ତ୍ରିକ ଆଧାରସ୍ତମ୍ଭ ନାହିଁ । ଜନତାଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିଙ୍କ ମାଧ୍ୟମରେ ନିଜ ପକ୍ଷ ରଖିବାକୁ ଆମ ପାଖରେ ବ୍ୟବସ୍ଥା ନଥିବାରୁ ଆମେ ଅମଲାତନ୍ତ୍ର ହାତରେ କ୍ରୀଡନକ ସାଜିଛୁ । ସେଠାରେ ପଶମିନା ଉତ୍ପାଦନ ପାଇଁ ଯେଉଁ ମେଶ ପାଳନ ହୁଏ , ସେହି ମେଶ ଚାରଣଭୂମି ସବୁକୁ ବିଭିନ୍ନ କର୍ପୋରେଟ ହାତକୁ ବଡ ବଡ ପ୍ରୋଜେକ୍ଟ ପାଇଁ ଲୋକଙ୍କ ସହ ବିନା ସମନ୍ଵୟରେ ଟେକି ଦିଆହେଉଛି । ଏହା କିଭଳି ବିକାଶ ଅଟେ ? ଆମେ ବିସ୍ଥାପିତ ହେବୁ ଓ ସହର ମାନଙ୍କୁ ଯାଇ କୀଟ ଭଳି ବାସ କରିବୁ । ଯଦି ଆମେ କହୁ ଯେ, ମୁମ୍ବାଇ ସହର ମଝିରେ ଯେଉଁ ମାଟି ଅଛି, ତାହା ମୂର୍ତ୍ତି ଗଢିବା ନିମନ୍ତେ ଉତ୍କୃଷ୍ଟ ବୋଲି, ସେମାନଙ୍କୁ ସେଠାରୁ ବିସ୍ଥାପିତ କରାଯିବ କି ? ଯେଉଁଠାରେ  ଯୁଗ ଯୁଗ ଧରି ଲୋକେ ନିଜ ପରମ୍ପରା, ବିଶ୍ଵାସ ଓ ସଂସ୍କୃତି ଆଧାରରେ ଜୀବନ ଜୀଉଁଛନ୍ତି , ସେମାନଙ୍କୁ ବିସ୍ଥାପିତ କରି ଆମେ କେମିତି ବିକାଶ କରିବା ? ଓଡିଶାରେ ଯେପରି ଲୁହା, ମାଙ୍ଗାନିଜ, ଆଲୁମିନିୟମ, କୋଇଲା ନିମନ୍ତେ ବିସ୍ଥାପନ ଚାଲିଛି, ଲଦାଖରେ  ସେମିତି ଲିଥିୟମ, ୟୁରାନିୟମ ନାଁରେ ବିସ୍ଥାପନ ଆରମ୍ଭ ହୋଇଛି । ସହରରେ ଗଣ୍ଡା ଗଣ୍ଡା କାର ଲୋକେ ରଖୁଛନ୍ତି, ଚାଳିଶ ଯୋଡା କପଡା ପିନ୍ଧୁଛନ୍ତି, ଦଶ ଦଶଟା ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ଆଉ ସହରର ଏହି ଆବଶ୍ୟକତା ପୂରଣ ପାଇଁ ଆମକୁ ବିସ୍ଥାପିତ ହେବାକୁ ପଡୁଛି । ଯେତିକି ଜରୁରୀ, ଲୋକଙ୍କ ସହ ଚର୍ଚ୍ଚା କରି ସେତିକି ଖନନ କରାଯାଉ । ହେଲେ ବିକାଶ ନାଁରେ ଏହି ଅନ୍ଧ ବିନାଶ ଆମ ପାଇଁ ଗ୍ରହଣୀୟ ନୁହେଁ । ସେଇଥିପାଇଁ ଆମେ ଗାନ୍ଧୀଜୀଙ୍କ ପଦଚିହ୍ନରେ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇଛୁ । ଆମେ ବିଶ୍ଵାସ କରୁଛୁ, ଯେଉଁମାନେ ଏହି ନିଷ୍ପତ୍ତି ନେଇଛନ୍ତି, ସେମାନଙ୍କ ହୃଦୟ ଦିନେ ନା ଦିନେ ତରଳିବ । ଆଜି ଆମ ସତ୍ୟାଗ୍ରହକୁ ତେପନ ଦିନ ହୋଇଛି । ମୁଁ ନିଜେ ୨୧ ଦିନର ଅନଶନ କରିଥିଲି । ମହିଳାମାନେ ଦଶ ଦିନ ଧରି ବଡ ସଂଖ୍ୟାରେ, ପୁଣି ଯୁବକମାନେ ଦଶ ଦିନ, ବୌଦ୍ଧ ଭିକ୍ଷୁମାନେ ଦଶଦିନ ଧରି ଅନଶନ କରିସାରିଛନ୍ତି । ବର୍ତ୍ତମାନ ଅଳ୍ପସଂଖ୍ୟକ ମାନେ ଦଶଦିନର ଅନଶନ ଚଳାଇ ରଖିଛନ୍ତି । ଏହିଭଳି ଭାବରେ ମହାତ୍ମା ଗାନ୍ଧୀଙ୍କ ରାସ୍ତାରେ ଶାନ୍ତିମୟ ଢଙ୍ଗରେ ଆମ ସତ୍ୟାଗ୍ରହ ଚାଲିଛି । ଆମର ପୂର୍ଣ୍ଣ ବିଶ୍ଵାସ ନିଶ୍ଚୟ ଅପରପକ୍ଷର ହୃଦୟ ପରିବର୍ତ୍ତନ ହେବ । ଦେଶର ପୂର୍ବ ଭାଗରୁ ଆପଣମାନେ ଏତେ ସଂଖ୍ୟାରେ ଆମ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ।

            ଏହି ସଭାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ସ୍ଵାଗତ ଭାଷଣ ଓ ବିଷୟ ପ୍ରବେଶ କରାଇଥିଲେ ଓ ସର୍ବୋଦୟ ନେତା ଡା ବିଶ୍ଵଜିତ ଧନ୍ୟବାଦ ଅର୍ପଣ କରିଥିଲେ  । ପ୍ରଫେସର ସ୍ଵାଧୀନ ପଟ୍ଟନାୟକ ଶ୍ରୀ ୱାଙ୍ଗଚୁକଙ୍କୁ ଲୋହିଆ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଜଷ୍ଟିସ ମନୋରଞ୍ଜନ ମହାନ୍ତି,ହରିହର ସେନ, କବୀର ଜେନା ଓ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ  ମିହିର ପ୍ରତାପ ଦାସ, ଅନିମା ରାୟ, ଜୟନ୍ତ ଦାସ, ମାନସ ପଟ୍ଟନାୟକ ପ୍ରମୁଖ ସମ୍ବର୍ଦ୍ଧନା ଦେଇଥିଲେ । ଇନସାଫ ପକ୍ଷରୁ ପ୍ରଦୀପ ସାହୁ, ସାମାଜିକ କର୍ମୀ ଅମୀୟ ପାଣ୍ଡବ, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ମଧ୍ୟ ଶ୍ରୀ ୱାଙ୍ଗଚୁକଙ୍କୁ ନାଗରୀକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *