ମହିଳା ଓ ଜଙ୍ଗଲି ଅଂଚଳରେ ବାସ କରୁଥିବା ଲୋକମାନଙ୍କ ସଶକ୍ତିକରଣ ପାଇଁ ସମ୍ମାନ ପ୍ରଦାନ

ଭୁବନେଶ୍ୱର, ମେ ୦୩, ୨୦୨୪: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀ ରଣଜୀତ୍ ମାଝୀଙ୍କୁ ଶାମ୍ଭବୀ ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି । ଏହାସହିତ ଜୀବନଜୀବିକା ଓ ଆତ୍ମନିର୍ଭରଶୀଳତା ଦିଗରେ ତୃଣମୂଳସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ନିମନ୍ତେ ଶ୍ରୀମତି ସସ୍ମିତା ମଙ୍ଗରାଜଙ୍କୁ ଜୁରୀ ପ୍ରଶଂସାପତ୍ର ଦ୍ୱାରା ସମ୍ମାନିତ କରାଯାଇଛି ।

ଏହି ଅବସରରେ ମହାରାଷ୍ଟ୍ର ସ୍ଥିତ ମନ୍ ଦେଶୀ ବ୍ୟାଙ୍କ୍ ତଥା ମନ୍ ଦେଶୀ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ଶ୍ରୀମତି ଚେତନା ସିହ୍ନା ମୁଖ୍ୟ ଅତିଥି ଏବଂ ୪୨ତମ ଉପ-ସେନା ପ୍ରମୁଖ ତଥା ଦିଲ୍ଲୀ ସ୍ଥିତ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲର ସଦସ୍ୟ ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥାମନ୍ ଦେଶୀ ବ୍ୟାଙ୍କ୍ ତଥା ମନ୍ ଦେଶୀ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ଶ୍ରୀମତି ଚେତନା ସିହ୍ନା କହିଛନ୍ତି ଯେ, “ ପ୍ରକୃତ ପରିବର୍ତନ ଏକ ସାହସିକ ପଦକ୍ଷେପ ସହିତ ଆରମ୍ଭ ହୋଇଥିବାବେଳେ ଏହି ବିନମ୍ର ନାୟକମାନଙ୍କ ଛୋଟିଆ ସାହସିକ ପଦକ୍ଷେପ ଗରିବ ଓ ବଂଚିତ ଲୋକମାନଙ୍କ ଜୀବନରେ ଏକ ବିରାଟ ପରିବର୍ତନ ଆଣିପାରିଛି । ଆମେ ଏହି ବିନମ୍ର ନାୟକମାନଙ୍କୁ ସମ୍ମାନିତ କରିବା ଅବସରରେ ସାମାଜିକ ପରିବର୍ତ୍ତନର ଧାରା ଯୋଗୁଁ ସୃଷ୍ଟି ହୋଇଥିବା ଆଶାର ଏକ କିରଣ ଓ ସଶକ୍ତିକରଣ ଦିଗରେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପର ସ୍ମୃତିଚାରଣ କରିବା ।”
ସେହିପରି ବଂଶୀଧର ଓ ଇଲା ଫଣ୍ଡା ଫାଉଣ୍ଡେସନ୍‌ର ସିଇଓ ଏବଂ ଟ୍ରଷ୍ଟି ତଥା ଇମ୍ଫା ସିଏସ୍‌ଆର (ସ୍ପେସିଆଲ ଇନିସିଏଟିଭ) ର ମୁଖ୍ୟ ଶ୍ରୀମତି ଶୈଫାଳିକା ପଣ୍ଡା କହିଛନ୍ତି ଯେ, “ବଂଚିତ ଲୋକମାନଙ୍କ ସେବା କରିବା ଓ ସାମାଜିକ ପରିବର୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ । ଶାମ୍ଭବୀ ପୁରସ୍କାର ସାମୂହିକ ବିକାଶ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ସାମାଜିକ କାର୍ଯ୍ୟକର୍ତାଙ୍କଦୂରଦୃଷ୍ଟି ଓ ଅଭିଳାଶାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମଂଚ ପ୍ରଦାନ କରୁଛି । “
ଏହି ଅବସରରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ୪୨ତମ ଉପ-ସେନା ପ୍ରମୁଖ ତଥା ଦିଲ୍ଲୀ ସ୍ଥିତ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲର ସଦସ୍ୟ ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ, “ ସାମାଜିକ ପରିବର୍ତନକାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିବା ଅବସରରେ ଆମେ ଗୋଷ୍ଠୀମାନଙ୍କ ଉତ୍‌ଥାନ ଓ ସକରାତ୍ମକ ପରିବର୍ତନକୁ ପ୍ରୋତ୍ସାହନ ଦେବା ପାଇଁ କଠିନ ପରିଶ୍ରମ କରୁଥିବା ଏହି ଲୋକମାନଙ୍କ ସ୍ଥିରତା ଓ ପ୍ରତିବଦ୍ଧତାକୁ ମଧ୍ୟ ସମ୍ମାନ ଜଣାଇବା ଉଚିତ ।ଶାମ୍ଭବୀ ପୁରସ୍କାର ମଧ୍ୟରେ ସନ୍ନିବିଷ୍ଟ ସାହସ, ଅନୁଶାସନ ଓ ସଚ୍ଚୋଟତା ଭଳି ଗୁଣ ଆଗାମୀ ପିଢିର ମାର୍ଗଦର୍ଶନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।”

ବିଜେତାମାନଙ୍କ ସମ୍ପର୍କରେ:
ଶ୍ରୀ ରଣଜୀତ ମାଝୀ ସୁନ୍ଦରଗଡ଼ ଜିଲ୍ଲାର ଜଙ୍ଗଲି ଅଞ୍ଚଳରେ ବସବାସ କରୁଥିବା ୧୧୨ଟି ଗ୍ରାମର ଲୋକମାନଙ୍କୁ ଜଙ୍ଗଲ ଜମି ଓ ସମ୍ବଳ ଉପରେ ଥିବା ସେମାନଙ୍କ ଅଧିକାର ପ୍ରତି ସଶକ୍ତ କରିବା ସହିତ ଜଙ୍ଗଲ ପର୍ଯ୍ୟାବରଣର ସଂରକ୍ଷଣ ଓ ପୁନର୍ଜୀବନକୁ ପ୍ରୋତ୍ସାହିତ କରୁଛନ୍ତି । ବଂଚିତ ଲୋକମାନଙ୍କ ସ୍ୱର ଉତ୍ତୋଳନ ଦିଗରେ ତାଙ୍କର ଉଲ୍ଲେଖନୀୟ ପଦକ୍ଷେପ ଓ ପ୍ରତିବଦ୍ଧତା ଜଙ୍ଗଲ ଭୂମି ଅଧିକାର କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛି । ଜଙ୍ଗଲ ଜମି ସମ୍ପର୍କିତ କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଅଦମ୍ୟ ଉତ୍ସାହ ଓ ଓଡ଼ିଶାର ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା କରିବା ଦିଗରେ ତାଙ୍କର ଅଦମ୍ୟ ଉତ୍ସର୍ଗୀକୃତାକୁ ସ୍ୱୀକୃତି ପ୍ରଦାନ ସ୍ୱରୁପ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ତାଙ୍କୁ ଏକ ପୁରସ୍କାର ସହିତ ୨,୫୦,୦୦୦ ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି ।

ସେହିପରି ଶ୍ରୀମତି ସସ୍ମିତା ମଙ୍ଗରାଜଙ୍କୁ ଜୁରୀ ପ୍ରଶଂସା ପତ୍ର ୨୦୨୪ ପ୍ରଦାନ କରାଯାଇଛି । ସୀମିତ ସାଧନ ସତ୍ୱେ ସେ ୪ଟି ଫେଡେରେସନ୍‌, ୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଏଜି) ଗଠନ ସହିତ ୪୦୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜୀବନଜୀବିକା ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ କରିପାରିଛନ୍ତି, ଯାହା ଏହି ମହିଳାମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବାରେ ସହାୟକ ହୋଇପାରିଛି । ଦୀର୍ଘସ୍ଥାୟୀ ଜୀବନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ତାଙ୍କୁ ଏକ ପୁରସ୍କାର ସହିତ ୫୦,୦୦୦ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି ।
୨୦୧୪ ମସିହାରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଶାମ୍ଭବୀ ପୁରସ୍କାର’ ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ କଷ୍ଟକର ଆହ୍ୱାନ ସତ୍ୱେ ବିଚଳିତ ନ ହୋଇ ପ୍ରତିବଦ୍ଧତାର ସହିତ ସାମାଜିକ କାର୍ଯ୍ୟ କରୁଥିବା ହିରୋମାନଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ସହିତ ଅନ୍ୟମାନଙ୍କୁ ସେମାନଙ୍କ ମାର୍ଗ ଅନୁସରଣ ନିମନ୍ତେ ପ୍ରେରତି କରିବା ଏହି ପୁରସ୍କାରର ମୁଖ୍ୟ ଲକ୍ଷ୍ୟ । ଗତ ଏକ ଦଶନ୍ଧି ମଧ୍ୟରେ ବିଆଇଏଫ୍ ପକ୍ଷରୁ ଶାମ୍ଭବୀ ପୁରସ୍କାର ମାଧ୍ୟମରେ ୨୦ରୁ ଊର୍ଦ୍ଧ୍ୱ ଜଣ ପରିବର୍ତନକାରୀଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କୁ ସାମାଜିକ ନିବେଶକର୍ତା ଓ ସଂଗଠନର ଏକ ପ୍ରଭାବୀ ନେଟୱର୍କ ସହିତ ସଂଯୋଗ କରାଯାଇପାରିଛି ।

ପ୍ରଭାବ, ଦୀର୍ଘସ୍ଥାୟୀତ୍ୱ, ଗୋଷ୍ଠୀ ଯୋଗଦାନ, ପରିମାପ, ନବସୃଜନ ଏବଂ ହିତାଧିକାରୀ ଭଳି କିଛି ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇଥାଏ । ସରକାରୀ କଳ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ, ଗଣମାଧ୍ୟମ ଏବଂ ବିଆଇପିଏଫ୍ ର ଜଣେ ପ୍ରତିନିଧିଙ୍କୁ ନେଇ ନେଇ ଗଠିତ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ଚୟନ କରିଥାନ୍ତି ।

Leave a Reply

Your email address will not be published. Required fields are marked *