ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରୁ ଡକାୟତି ଯୋଜନା ପଣ୍ଡ : ପୋଲିସ ହାତରେ ଧରା ପଡିଲେ ଲୁଟେରା ଗ୍ୟାଙ୍ଗ
ଖୋର୍ଦ୍ଧା: ୦୪/୯(ପ୍ରବାହ ନିଉଜ୍) ଡକାୟତ ଯୋଜନାକୁ ପଣ୍ଡ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ତରତୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ଗୃହ ମଧ୍ୟରେ ୭ ରୁ ୮ ଜଣ ଦୁର୍ବୁତ୍ତ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରୁ ଡକାୟତି ଯୋଜନା କରୁଥିବାର ଖବର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ଏହି ସମ୍ପର୍କରେ ଖୋର୍ଦ୍ଧା ଏସ.ଡ଼ି.ପି.ଓ ସୁଶୀଲ କୁମାର ମିଶ୍ର ଓ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଜଣାଇବା ପରେ ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ମଜିଦ ଖାନ, କଲିମ ଖାନ, ଦିପକ ସ୍ୱାଇଁ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ରଞ୍ଜନ ସୁନ୍ଦରାୟ।
ପୋଲିସ ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, କାତି, ଲୁହା ରଡ଼, ଲାଠି ଏବଂ ଗୋଟେ ମୋବାଇଲ ଫୋନ ଆଦି ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବାର ଜଣାପଡିଛି ।
ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୩୪୨/୨୧ ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।