ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ : ତଳ କୋର୍ଟ ରଖିବେ ସର୍ତ୍ତ

ଖୋର୍ଦ୍ଧା : ୨୧/୧୦(ପ୍ରବାହ ନିଉଜ୍) ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଗୃହୀତ ହେବାପରେ ହାଇକୋର୍ଟ ରୁ ଗୁରୁବାର ଜାମିନ ମିଳିଛି । ତେବେ ସର୍ତ୍ତମୂଳକ ଜାମିନ ହାଇକୋର୍ଟ ଦେଇଥିବାର ସୂଚନା ମିଳିଛି । କୌଣସି ପରିସ୍ଥିତିରେ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତରେ ଉଲ୍ଲେଖ କରାଯାଇଛି । ଏହା ସହିତ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଗତ ସେପ୍ଟେମ୍ବର ମାସ ୮ ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ବାଲୁଗାଁ ଥାନାରେ ଲିଖୁତ ଅଭିଯୋଗ ହୋଇଥିଲା । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଜଗଦ୍ଦେବଙ୍କୁ ଦଳରୁ ତୁରନ୍ତ ନିଲମ୍ବନ କରିବା ପରେ ପ୍ରଶାନ୍ତ ଦୀର୍ଘ ଏକ ମାସ ଧରି ଫେରାର ରହିଥିବା ବେଳେ ଗତ ୫ ତାରିଖରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ତଳ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖରେ ଖୋର୍ଦ୍ଧା କୋର୍ଟରେ ବିଧାୟକ ଜଗଦ୍ଦେବ ଜାମିନ ଆବେଦନ କରିଥିଲେ ।

ପୁନର୍ବାର ତଳ କୋର୍ଟରେ ମଧ୍ୟ ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ଙ୍କୁ ଜେଲ ଯିବାକୁ ପଡିଥିଲା, ହେଲେ ଜେଲରେ ପହଞ୍ଚିବାର କିଛି ସମୟ ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଧାୟକ ଚିକିତ୍ସାଧୀନ ଥିବାବେଳେ ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ତରଫରୁ ହାଇକୋର୍ଟରେ ପୁନର୍ବାର ଜାମିନ ପାଇଁ ଆବେଦନ କରାଯାଇଥିଲା । ଏ ନେଇ ଗୁରୁବାର ଦିନ ହାଇକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ କରିଥିବା ବେଳେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ରଖିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *