ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ୮ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି କାଲ୍‌କାଟା ହାଇକୋର୍ଟ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ (ସିବିଆଇ) ଆଦେଶ ଦେଇଛନ୍ତି।

କିନ୍ତୁ, ଏହି ମାମଲାକୁ ‘ସିବିଆଇ’କୁ ହସ୍ତାନ୍ତର ନ କରିବା ପାଇଁ ମମତା ବାନାର୍ଜୀ ସରକାର ଅଦାଲତଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମହିଳା ଓ ପିଲାଙ୍କ ସମେତ ୮ଜଣଙ୍କୁ ଦଳେ ଉତ୍ତ୍ୟକ୍ତ ଜନତା ପିଟାପିଟି କରି ଜିଅନ୍ତା ପୋଡ଼ି ପକାଇଥିଲେ।

ପଶ୍ଚିମବଙ୍ଗ ସରକାରଙ୍କଦ୍ବାରା ଗଠିତ ‘ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌’ ସମ୍ପ୍ରତି ଏହି ମାମଲାକୁ ‘ସିବିଆଇ’କୁ ହସ୍ତାନ୍ତର କରିବ। ଏପ୍ରିଲ୍‌ ୭ ତାରିଖ ସୁଦ୍ଧା ଏହି ମାମଲା ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କରିବା ଲାଗି ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ବିଚାରପତି ଆର୍‌. ଭରଦ୍ବାଜଙ୍କୁ ନେଇ ଗଠିତ କାଲ୍‌କାଟା ହାଇକୋର୍ଟର ଏକ ଡିଭିଜନ୍‌ ବେଞ୍ଚ୍‌ ‘ସିବିଆଇ’କୁ ନିର୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଆତ୍ମସମର୍ପଣ ନ କଲେ ସନ୍ଦିଗ୍ଧମାନଙ୍କୁ ଖୋଜି ଖୋଜି ବାହାର କରାଯିବ। ଏହି ବୀଭତ୍ସ ହତ୍ୟାକାଣ୍ଡ ପାଇଁ ରାଜନୈତିକ ମହଲ ସମାଲୋଚନା କରୁଥିବା ବେଳେ ପଶ୍ଚିମବଙ୍ଗ ସରକାର ରାଜନୈତିକ ହିଂସାକାଣ୍ଡକୁ ଉପେକ୍ଷା କରୁଛନ୍ତି ବୋଲି ବିରୋଧୀ ଦଳ ‘ବ‌ିଜପେି’ ଦୋଷାରୋପ କରିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ କିଛି ବିଶେଷ ଧରଣର ଷଡ଼ଯନ୍ତ୍ର ରହିଛି।

Leave a Reply

Your email address will not be published. Required fields are marked *