ଜ୍ବର ନଥିଲେ ବି ରାହୁଲ ଏବେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ବୋଲି କହିହେବ ନାହିଁ: ଡା. ଇନ୍ଦିରା ମିଶ୍ରା

ରାୟପୁର: ଦୀର୍ଘ ୧୦୪ ଘଣ୍ଟାର ଉଦ୍ୟମ ପରେ ବୋର୍‌ୱେଲ୍‌ରୁ ମଙ୍ଗଳବାର ରାତିରେ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଏବେ ରାହୁଲର ଚିକିତ୍ସା ବିଲାସପୁରସ୍ଥିତ ଆପୋଲା ହସ୍ପିଟାଲରେ ଚାଲିଛି। ଏବେ ରାହୁଲର ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ସେ ନେଇ ସୂଚନା ଦେଇଛନ୍ତି ଆପୋଲୋ ହସ୍ପିଟାଲର ଡାକ୍ତର ଇନ୍ଦିରା ମିଶ୍ରା।

ସେ କହିଛନ୍ତି ଯେ, ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏବେ ସେ ଠିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ଗତକାଲି ରାହୁଲକୁ ତରଳ ପଦାର୍ଥ ଖାଇବା ପାଇଁ ଦିଆଯାଉଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ କଠିନ ଖାଦ୍ୟ ଖାଇବାକୁ ଦିଆଯାଉଛି। ଆଜି ରାହୁଲ ଭାତ, ଡାଲି, ପନିର ଓ ଫଳ ଖାଇଛି। ଗତ ରାତିଠାରୁ ଆଉ ଜ୍ବର ନଥିଲେ ବି ସଂକ୍ରମଣର ବିପଦ ଏଯାଏଁ ଟଳି ନାହିଁ। ଏପର୍ଯ୍ୟନ୍ତ ବ୍ଲଡ କଲ୍ଚର ରିପୋର୍ଟ ଆସି ନାହିଁ। କାଲି ସକାଳେ ରିପୋର୍ଟ ଆସିଲେ ସେ କେଉଁ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ସେ ନେଇ ତଥ୍ୟ ମିଳି ପାରିବ। ତେବେ ରାହୁଲକୁ ଏବେ ଅମ୍ଲଜାନର ଆବଶ୍ୟକତା ପଡ଼ୁନାହିଁ। ହେଲେ ରାହୁଲ ସମ୍ପୂର୍ଣ୍ଣ ବିପଦ ମୁକ୍ତ ବୋଲି ଏବେ କହିହେବ ନାହିଁ। ଶରୀରରେ ଏବେ ୧୦ ପ୍ରତିଶତ ସ୍ଥାନରେ କ୍ଷତ ରହିଛି, ଯାହା ଧିରେ ଧିରେ ଠିକ ହବାରେ ଲାଗିଛି। ଚର୍ମର ସ୍ଥିତରେ ଏବେ ଟିକେ ସୁଧାର ଆସିଛି। ହେଲେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ହେବାକୁ ଆଉ କିଛି ଦିନ ସମୟ ଲାଗିବ।

Leave a Reply

Your email address will not be published. Required fields are marked *