ଇସ୍ତଫା ଦେବା ପରେ ଜମ୍ମୁ-କଶ୍ମୀରରେ ନିଜର ନୂଆ ଦଳ ଗଠନ କରିବେ ଆଜାଦ

ନୂଅାଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ପରେ କଂଗ୍ରେସର ହାତ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ଆଜାଦ ଏକ ନୂଆ ଦଳ ଗଠନ କରିବାକୁ ଯାଉଥିବା ଜଣାପଡ଼ିଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଜମ୍ମୁ କଶ୍ମୀରରେ ନିଜର ଦଳ ଗଠନ କରିବାକୁ ଯାଉଥିବା କହିଛନ୍ତି। ନିକଟରେ ସେ ତାଙ୍କ ସମର୍ଥକଙ୍କୁ ଜମ୍ମୁ କଶ୍ମୀରକୁ ଆସିବାକୁ କହିଥିଲେ। ବିଶେଷ କଥା ହେଉଛି ଭାରତୀୟ ଜନତା ପାର୍ଟି ନେତା କୁଲଦୀପ ବିଷ୍ଣୋଇ ମଧ୍ୟ ତାଙ୍କୁ ଦଳକୁ ନିମନ୍ତ୍ରଣ କରିଛନ୍ତି। ତେବେ ଭବିଷ୍ୟତରେ ଆଜାଦ ନିଜର ନୂଆ ଦଳ ଗଠନ କରିବେ ନା ବିଜେପିରେ ଯୋଗ ଦେବେ ତାହା ଦେଖିବାକୁ ବାକି ରହିଲା।
ତେବେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଆଜି ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ସେ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରିଛନ୍ତି।
ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ଆପଣଙ୍କ(ସୋନିଆ ଗାନ୍ଧୀ) ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା ଏବଂ ସମସ୍ତଙ୍କଠାରୁ ପରାମର୍ଶ ନିଆଯାଉଥିଲା । କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସର ଏହି ବ୍ୟବସ୍ଥା ଶେଷ ହୋଇଯାଇଥିଲା। ଗୁଲାମ ନବୀ ଆଜାଦ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ପରାମର୍ଶ ଅନୁସରଣ କରିବାର ପରମ୍ପରା ନଷ୍ଟ ହୋଇଯାଇଥିଲା। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଥିଲା। ସେହିପରି ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞମାନଙ୍କୁ ସ୍ଥାନ ଦିଆଯାଇଥିଲା।