ବ୍ୟାସକବି ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ତା-14.01.2023 : ରାଜ୍ୟସ୍ତରୀୟ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସାମଲ ଯୋଗଦେଇ ବ୍ୟାସକବିଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଓଡିଆା ଭାଷା ଓ ସାହିତ୍ୟର ଉନ୍ନତି ତଥା ଓଡିଆ ଜାତୀୟତା ଆନ୍ଦୋଳନରେ ଫକୀରମୋହନଙ୍କ ଅବଦାନ ଅବିସ୍ମରଣୀୟ ଥିଲା ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ପଦାଧିକାରୀ, ଉତ୍କଳ ସମ୍ମିଳନୀ, ଉଇ ଫର ଭୁବନେଶ୍ୱର ଅନୁଷ୍ଠାନ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଛାତ୍ରଛାତ୍ରୀ, ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର କର୍ମକର୍ତ୍ତାମାନେ ଯୋଗଦେଇ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।