ପୂର୍ବ ଶତ୍ରୁତାକୁ ନେଇ ଡମଣଭୂମି ଗ୍ରାମରେ ପଥର ମାଡ଼ ସହିତ ବୋମାମାଡ ଓ ଗୁଳିଚାଳନା

ଖୋର୍ଦ୍ଧା : ୨୧/୦୩/୨୦୨୧ :ପୂର୍ବ ଶତ୍ରୁତାକୁ ନେଇ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମ ପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା ହୋଇଥିବା ଜଣାପଡିଛି ।
ଉଭୟ ଅଭିଯୁକ୍ତ ଗୋଟିଏ ଯୌଥ ପରିବାରର ହୋଇଥିବା ବେଳେ ପୂର୍ବରୁ ବହୁଦିନ ଧରି ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି ।

ଆଜି ଏକ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଅଟକେଇବା ଘଟଣା କୁ ନେଇ ଦିନ ୨ଟା ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ କାଳିଆ ଭୋଳ ଓ ତାର କିଛି ସହଯୋଗୀ ସନ୍ଧ୍ୟା ସମୟରେ ସେହି ଗ୍ରାମର ରଞ୍ଜନ ଭୋଳ ଙ୍କ ଘରକୁ ଯାଇ ମାରଣାସ୍ତ୍ର ଓ ଟେକା ପଥର ଜରିଆରେ ରେ ପରିବାର ର କେତେଜଣଙ୍କୁ କ୍ଷତାକ୍ତ କରିଥିବା ସୂଚନା ମିଳିଥିବା ବେଳେ, ଏପଟେ ରଞ୍ଜନ ଙ୍କ ଗୋଷ୍ଠୀ ଘଟଣାରେ ଉତକ୍ଷିପ୍ତ ହୋଇ କାଳିଆ ଙ୍କ ଗୋଷ୍ଠୀ ଉପରେ ବୋମାମାଡ କରିଥିବା ଜଣାପଡିଛି ।

ଏଥିରେ ଉଭୟ ଗୋଷ୍ଠୀ ପକ୍ଷରୁ ୧୧ ଜଣ ଆହତ ହୋଇଥିବା ଜଣାପଡିଛି।କିଛି ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ବେଳେ ଗାଁରେ ଫୋର୍ସ ମୁତୟନ କରାଯାଇଛି ବୋଲି ଜଙ୍କିଆ ଥାନା ଅଧିକାରୀ କହିଛନ୍ତି ।