କନ୍ଧମାଳରୁ ରାଜଧାନୀ ଲମ୍ବିଛି ଗଞ୍ଜେଇ ମାଫିଆଙ୍କ ଚେର : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହିତ ମହିଳାଙ୍କ ସମେତ ୪ ଗିରଫ
ଖୋର୍ଦ୍ଧା : ୧୨-୦୧(ପ୍ରବାହ ନିଉଜ୍) ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏକାଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୮କେଜି ରୁ ଉର୍ଦ୍ଧ କେଜି ଗଞ୍ଜେଇ ଜବତ କରାଯାଇଛି।
ସୂଚନା ମୁତାବକ ଆଜି ଗିରଫ ହୋଇଥିବା ମହିଳା ଜଣକ କନ୍ଧମାଳ ଜିଲ୍ଲା ଗୋଛିପଦା ଥାନା ଅନ୍ତର୍ଗତ ମୁସେଳିପଙ୍ଗା ଗ୍ରାମର ଯଶୋଦା ଦିଗଲ । କନ୍ଧମାଳରୁ ସେ ବସ୍ରେ ଆସି ଜାଆଁଳା ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି। ସେହିପରି ପଶ୍ଚିମବଙ୍ଗର ମୁର୍ସିଦାବାଦ୍ ଜିଲ୍ଲା ଲାଲବାଗ୍ ଥାନା ଚୋରଖୁ ବାବାଡ଼ି ଗ୍ରାମର ସୁରଜ ମଣ୍ଡଳ(୨୮) ଏବଂ ଉକ୍ତ ଥାନା ଅନ୍ତର୍ଗତ ଅଜାଦ୍ ହିନ୍ଦ୍ ବାଗର ସୁମିତ୍ତ ମଣ୍ଡଳ (୨୪)ଙ୍କୁ ମଧ୍ୟ ଅବକାରୀ ବିଭାଗ ମଧ୍ୟ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରୁ ଗିରଫ କରିଥିବା ଜଣାପଡ଼ିଛି। ଉପରୋକ୍ତ ୩ ଗଞ୍ଜେଇ ଚାଲାଣକାରୀଙ୍କଠାରୁ ୨୮ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଅବକାରୀ ବିଭାଗ କହିଛି । ଅନୁରୂପ ଭାବେ ଟାଙ୍ଗୀ ଅବକାରୀ ବିଭାଗ କନ୍ଧମାଳ ଜିଲ୍ଲା ଗୋଛିପଡ଼ା କାଲିମୁଣ୍ଡା ଗ୍ରାମର ଜନକ ଦିଗ୍(୪୦) ନାମକ ବ୍ୟକ୍ତିଙ୍କୁ ୮କେଜି ଗଞ୍ଜେଇ ସହିତ ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ଵର ଛକରୁ ଗିରଫ ହୋଇଛନ୍ତି । ଗିରଫ ୪ ଜଣଙ୍କଠାରୁ ସମୁଦାୟ ୩୬ କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ଏକ ଲକ୍ଷ ୮୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ଆକଳନ କରିଛି।
ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପୃଥକ ଭାବେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି।