ନାଲ୍କୋର ଏକବିଂଶତମ ବକ୍ତୃତା ଶୃଙ୍ଖଳ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦୀପକ୍ ମିଶ୍ରଙ୍କ ଯୋଗଦାନ

“ସୁଦୃଢ଼ କର୍ପୋରେଟ ଗଭର୍ଣ୍ଣାନ୍ସ ପାଇଁ ପ୍ରଭାବୀ ନେତୃତ୍ୱ ଉପରେ ଗୁରୁତ୍ୱ ପ୍ରଦାନ”
ଭୁବନେଶ୍ୱର,୭ ।୧ ।୨୦୨୩: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସ୍ନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ)ର ୪୩ତମ ପ୍ରତିଷ୍ଠାଦିବସ ଶନିବାର କମ୍ପାନୀର ବିଭିନ୍ନ ଉତ୍ପାଦନ କ୍ଷେତ୍ର ଓ ଆଂଚଳିକ କାର୍ଯ୍ୟାଳୟ ଏବଂ କର୍ପୋରେଟ ମୁଖ୍ୟାଳୟରେ ପାଳିତ ହୋଇଯାଇଛି । ନାଲ୍କୋ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍କୋର ଉତ୍କର୍ଷ ଯାତ୍ରାକୁ ମନେ ପକାଇ ନାଲ୍କୋ ଏକବିଂଶତମ ବକ୍ତୃତା ଶୃଙ୍ଖଳ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ମାନ୍ୟବର ଦୀପକ୍ ମିଶ୍ର ଯୋଗ ଦେଇଥିଲେ । ଏହି ବକ୍ତୃତା ଶୃଙ୍ଖଳ କାର୍ଯ୍ୟକ୍ରମରେ ଜଷ୍ଟିସ୍ ମିଶ୍ର ‘ପ୍ରଭାବୀ ନେତୃତ୍ୱ; ସୁଦୃଢ଼ କର୍ପୋରେଟ ଗଭର୍ଣ୍ଣାନ୍ସ ପାଇଁ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଓ ଦକ୍ଷତା ଜରୁରୀ’ ଶୀର୍ଷକ ବିଷୟ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ନାଲ୍କୋର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ଜଷ୍ଟିସ୍ ମିଶ୍ର ଏହାର କର୍ମଚାରୀଙ୍କ ସାମୂହିକ ଉଦ୍ୟମକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ; ନାଲ୍କୋ ଆଗାମୀ ଦିନରେ ଏହି ଉତ୍କର୍ଷତାପୂର୍ଣ୍ଣ ଯାତ୍ରାକୁ ବଜାୟ ରଖିବା ସହ ଭବିଷ୍ୟତରେ ନୂତନ ମାଇଲଖୁଂଟଣ୍ଟ ସ୍ଥାପନ କରିବ ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ନାଲ୍କୋର ସିଏମ୍ଡି ଶ୍ରୀ ଶ୍ରୀଧର ପାତ୍ର ଉଦ୍ବୋଧନ ଦେଇ ନାଲ୍କୋର ଉତ୍କର୍ଷତା ହାସଲରେ କର୍ମଚାରୀଙ୍କ ସାମୂହିକ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଶ୍ରୀ ପାତ୍ର ତାଙ୍କର ସ୍ୱାଗତ ଅଭିଭାଷଣରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ୍ ମିଶ୍ରଙ୍କୁ ଏକବିଂଶ ସଂସ୍କରଣକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିର୍ଦ୍ଦେଶକ ମଣ୍ଡଳୀ, ସିଭିଓ, କମ୍ପାନୀର ବହୁ ପୂର୍ବତନ ସିଏମ୍ଡି, ପୂର୍ବତନ କର୍ମଚାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ପିଏସ୍ୟୁର ବରିଷ୍ଠ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଆଭାସି ମାଧ୍ୟମରେ ମଧ୍ୟ ପ୍ରସାରଣ କରାଯାଇଥିଲା । ଆୟୋଜିତ ଏହି ବକ୍ତୃତା ଶୃଙ୍ଖଳ କାର୍ଯ୍ୟକ୍ରମରେ ନାଲ୍କୋର ସମସ୍ତ ୟୁନିଟ୍ର କର୍ମଚାରୀମାନେ ଅଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।