ଶିମିଳିପାଳ ଜାତୀୟ ଉଦ୍ୟାନ ପରେ ଅଗ୍ନି ଗ୍ରାସ କଲା ବରୁଣେଇ ପାହାଡ଼ରେ ଥିବା ସଂରକ୍ଷିତ ଜଙ୍ଗଲକୁ

ଖୋର୍ଦ୍ଧା : ୧୪/୦୩/୨୦୨୧ ଗ୍ରୀଷ୍ମ ଋତୁର ଆରମ୍ଭରେ ସାରା ଓଡ଼ିଶାରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ବିଧାନସଭାରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ପୁଣି ଆଜି ଖୋର୍ଦ୍ଧା ଉପକଣ୍ଠରେ ଥିବା ଐତିହ୍ୟ ବରୁଣେଇ ପାହାଡ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ସାମ୍ନା କୁ ଆସିଛି । ପାହାଡ଼ ପାଦଦେଶରେ ଥିବା ଗଡ଼ଖୋର୍ଦ୍ଧା ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ଭୁବନେଶ୍ୱର ଆଇ ଆଇ ଟି ପାଖ ପୋଡପଡା ଗ୍ରାମକୁ ଲାଗି ରହିଥିବା ବରୁଣେଇ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି।

ଘଟଣା ସ୍ଥଳରେ ଖୋର୍ଦ୍ଧା ବନ ବିଭାଗର କର୍ମଚାରୀଙ୍କ ସହିତ ଖୋର୍ଦ୍ଧା ଓ ଜଟଣୀ ଅଗ୍ନିଶ୍ରମ ବିଭାଗର ଦୁଇ ଦୁଇଟି ନିଆଁଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ । ପ୍ରାୟ ଏକ କିଲୋମିଟର ବ୍ୟାପି ଜଙ୍ଗଲ ର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ସହିତ ନିଆଁର ପ୍ରକୋପ ଅତି ତୀବ୍ର ହୋଇଥିବାରୁ ଜଙ୍ଗଲ ମଧ୍ୟକୁ ଯାଇ ନିଆଁକୁ ଆୟତ୍ତ କରିବା ନିଆଁ ଲିଭାଳୀଙ୍କ ପକ୍ଷେ କାଠିକର ପାଠ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ଙ୍କ ସହ ଉଭୟ ଅଞ୍ଚଳର ଗ୍ରାମବାସୀ ମାନେ ପ୍ରୟାସ ଜାରି ରଖିଛନ୍ତି ।
