ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ
- ୨୦୨୪ ସାଧାରଣ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଲୋଭନ ବିରୋଧରେ ନିର୍ବାଚନ ଆୟୁକ୍ତଙ୍କ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି
- ଅର୍ଥବଳ ଉପରେ ନିର୍ବାଚନ ଆୟୁକ୍ତଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ମାର୍ଚ୍ଚ ପହିଲାରୁ ଦୈନିକ ୧୦୦ କୋଟି ଟଙ୍କା ଲେଖାଏଁ ଜବତ
- ମତଦାନ ଆରମ୍ଭ ହେବା ପୂର୍ବରୁ ଜବତ ହେଲାଣି ୪୬୫୦ କୋଟି ଟଙ୍କା : ୨୦୧୯ ନିର୍ବାଚନରେ ଜବତ ହୋଇଥିବା ମୋଟ ଅର୍ଥରାଶି ଠାରୁ ଅଧିକ
- ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ୧୬ କୋଟିରୁ ଅଧିକ ଟଙ୍କାର ମଦ ଜବତ
- କଠୋର ଓ ନିରବଚ୍ଛିନ୍ନ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଲେ ନିର୍ବାଚନ ଆୟୁକ୍ତ
୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶବ୍ୟାପୀ ଜବତ ହୋଇଥିବା ୪୫ ପ୍ରତିଶତ ଡ୍ରଗ୍ସ ଓ ନିଶାଦ୍ରବ୍ୟ ଉପରେ ଆୟୋଗଙ୍କ ବିଶେଷ ଫୋକସରେ ରହିଛି। ବ୍ୟାପକ ଯୋଜନା, ସହଯୋଗ ବୃଦ୍ଧି ଏବଂ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରତିରୋଧ କାର୍ଯ୍ୟ, ସକ୍ରିୟ ନାଗରିକ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ନିୟୋଜନ ଦ୍ୱାରା ଏହି ଜବତ ସମ୍ଭବ ହୋଇପାରିଛି ।
ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରରେ ଅନୁମତିପ୍ରାପ୍ତ ରାଜନୈତିକ ଖର୍ଚ୍ଚ ସୀମା ଏବଂ ପ୍ରକାଶିତ ସଠିକ ଆର୍ଥିକ ବିବରଣୀ ଠାରୁ ଅଧିକ କଳାଧନର ବ୍ୟବହାର ଦ୍ୱାରା ସମାନ ସୁଯୋଗ ସୃଷ୍ଟି ହେବାରେ ବାଧା ଉତ୍ପନ୍ନ ହୋଇପାରେ । ଅଧିକ ସମ୍ବଳ ସମ୍ପନ୍ନ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ସୃଷ୍ଟି କରାଯାଇପାରେ । ତେଣୁ ପ୍ରଲୋଭନ ଓ ଦୁର୍ନୀତି ମୁକ୍ତ ଲୋକସଭା ନିର୍ବାଚନ କରାଇବା ଏବଂ ସବୁ ପ୍ରାର୍ଥୀ ଓ ଦଳ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ସଂକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ସ୍ୱରୂପ ଏହି ଜବତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ରାଜୀବ କୁମାର ଗତ ମାସରେ ନିର୍ବାଚନ ଘୋଷଣା କରିବା ସମୟରେ ଅର୍ଥ ବଳ ବା ମନି ପାୱାରକୁ ‘୪ଏମ୍’ ଚ୍ୟାଲେଞ୍ଜ ଭାବେ ଦର୍ଶାଇଥିଲେ। ଏପ୍ରିଲ ୧୨ ତାରିଖରେ ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁ ଏପ୍ରିଲ ୧୯ରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା କରିଥିଲେ। ପ୍ରଲୋଭନମୁକ୍ତ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ କଡାକଡ଼ି, ତଦାରଖ ଏବଂ ଚେକିଂ ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ପ୍ରଲୋଭନ ଉପରେ ନଜର ରଖିବା ଏବଂ ନିର୍ବାଚନୀ ଦୁର୍ନୀତିକୁ ରୋକିବା ତଥା କ୍ଷୁଦ୍ର ଓ କମ୍ ଆର୍ଥିକ ସମ୍ବଳ ସମ୍ପନ୍ନ ଦଳମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଲାଗି ନିର୍ବାଚନ ଆୟୋଗଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି ବିପୁଳ ପରିମାଣର ଜବତ ପ୍ରତିଫଳିତ କରୁଛି ।
ତାମିଲନାଡୁର ନୀଳଗିରିରେ ଘଟିଥିବା ଏକ ଘଟଣାରେ କର୍ତ୍ତବ୍ୟରେ ଅବହେଳା ଏବଂ ଜଣେ ବିଶିଷ୍ଟ ନେତାଙ୍କ ଗାଡ଼ିର ପକ୍ଷପାତମୂଳକ ଯାଞ୍ଚ ପାଇଁ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଲିଡରଙ୍କୁ ନିର୍ବାଚନ ଆୟୁକ୍ତ ନିଲମ୍ବିତ କରିଛନ୍ତି। ସେହିଭଳି ଅଧିକାରୀମାନେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଏବଂ ଅନ୍ୟ ରାଜ୍ୟରେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରିଛନ୍ତି । ନିର୍ବାଚନ ପ୍ରଚାରରେ ରାଜନେତାଙ୍କୁ ସହଯୋଗ କରୁଥିବା ପ୍ରାୟ ୧୦୬ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆଚରଣ ବିଧି ଓ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସଂସଦୀୟ ନିର୍ବାଚନ ଘୋଷଣା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି ଶ୍ରୀ ରାଜୀବ କୁମାର ବିସିଏଏସ୍ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମାଗଣା ସାମଗ୍ରୀ ରଖିବା ପାଇଁ ବ୍ୟବହୃତ ଅସ୍ଥାୟୀ ଗୋଦାମ, ଅନ୍ତର୍ଜାତୀୟ ସୀମାପାର୍ ଚେକପୋଷ୍ଟ, ଅଣନିର୍ଦ୍ଧାରିତ ବିମାନ ଓ ହେଲିକପ୍ଟରେ ଆୟକର ବିଭାଗ, ବିମାନ ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷା ଏଜେନ୍ସି, ସମ୍ପୃକ୍ତ ଜିଲ୍ଲାର ଏସପି ଓ ଜିଏସଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଉପରେ ନିର୍ବାଚନ ଆୟୋଗ ଜୋର ଦେଇଥିଲେ । ସବୁ ପରିବହନ ମାର୍ଗରେ ବହୁମୁଖି ଯାଞ୍ଚ ଉପରେ ସମୀକ୍ଷା ସମୟରେ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଥିଲେ । ସଡ଼କ ପରିବହନ ପାଇଁ ଚେକପୋଷ୍ଟ ଓ ନାକାରେ, ଉପକୂଳ ମାର୍ଗରେ ତଟରକ୍ଷୀ ବାହିନୀ ଦ୍ୱାରା ଏବଂ ହେଲିକପ୍ଟର ଓ ଅଣନିର୍ଦ୍ଧାରିତ ବିମାନରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ଯାଞ୍ଚ କରାଯିବା ଉପରେ ଜୋର୍ ଦିଆଯାଇଥିଲା ।