ସଦ୍ଭାବନା ମଞ୍ଚ ତରଫରୁ ଇଦ୍ ମିଲନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ତା ୧୫ା୪ା୨୦୨୪ : ସଦ୍ଭାବନା ମଞ୍ଚ ତରଫରୁ ଭୁବନେଶ୍ୱରସ୍ଥିତ ରୋଟାରୀ ଭବନଠାରେ ଜଣାଶୁଣା ସମାଜସେବୀ ସଫଦର ହାସିମ୍ଙ୍କ ପୌରହିତ୍ୟରେ ଏକ ଇଦ୍ ମିଲନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଧର୍ମ ଓ ଜାତିର ଲୋକମାନେ ଭାଇଚାରା ପାଇଁ ଏକତ୍ରିତ ହୋଇ ଏହି ଇଦ୍ ମିଲନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଦୂର କର୍ଣ୍ଣାଟକରୁ ଇକ୍ବାଲ୍ ମୁଲ୍ଲା ସାହାବ, ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ସିଷ୍ଟର ଲିନା, ଖ୍ରୀଷ୍ଟିଆନ୍ ସମାଜ ତରଫରୁ ଅନୀଲ ନାଏକ, ମୁଫତି ସାକିବ୍ ମଜର କାଶ୍ମି ଓ ଯଜ୍ବା ହ୍ୟୁମାନିଟି ଟ୍ରଷ୍ଟର ଅଧ୍ୟକ୍ଷ ସବ୍ଦର ହାସିମ୍, ସମାଜସେବୀ କଲିମମୁଲ୍ଲା, ମଞ୍ଚାସୀନ ଉପସ୍ଥିତ ହୋଇ ଭାଇଚାରା ପାଇଁ ନିଜର ବକ୍ତବ୍ୟ ରଖିଥିଲେ । ଧର୍ମ ନିରପେକ୍ଷତାରେ ବିଶ୍ୱାସ କରିବା, ହିନ୍ଦୁ, ମୁସ୍ଲିମ୍, ଶିଖ୍, ଇସାଇ ଭାତୃତ୍ୱକୁ ବଜାୟ ରଖିବା ପରସ୍ପରର ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ଶାନ୍ତି ଓ ମୈତ୍ରୀ ସହ ବାସ କରିବା ସହ ଭାଇଚାରାକୁ ମଜ୍ବୁତ୍ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିବା ଦରକାର ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରେ ପରସ୍ପର ପରସ୍ପରର ଇଦ୍ ମୁବାରକର ଶୁଭେଚ୍ଛା ଜଣାଇବା ସହ ଏକାଠି ହୋଇ ଭୋଜନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ୟାସିର୍ ନୱାଜ୍, ପ୍ରଶାନ୍ତ ଶତପଥି, ସମାଜସେବୀ ତନବୀର ଆଲାମ୍, ସଂଗ୍ରାମ କିଶୋର, ଶୁଭେନ୍ଦୁ ମଲ୍ଲିକ, ବାବୁ ରାଜା ପ୍ରମୁଖ ଯୋଗଦେଇଥିଲେ । ଯୁବ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ଧନ୍ୟବାଦ ପ୍ରଦାନ କରିଥିଲେ ।