ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଦଶହରା ପର୍ବ 

ବାଣପୁର: ୧୯/୯(ପ୍ରବାହ ନିଉଜ) ଭଗବତୀ ଓଡିଶାର ସବୁଠାରୁ ଲୋକପ୍ରିୟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ | ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀ ଏଠାରେ ବିଦ୍ୟମାନ । ଅଷ୍ଟ ଦେବୀ ଏବଂ ମହିଷାସୁର କଟା ମୁଣ୍ଡରେ ସୁସଜ୍ଜିତ ମା’ ଭଗବତୀ ପ୍ରତିମୂର୍ତ୍ତି ଏଠାରେ ଶୋଭା ପାଇଥାଏ। ଏହି ମନ୍ଦିରରେ ଦେବୀ ଭଗବତୀ ଏବଂ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଏ | ଭଗବତୀ ମନ୍ଦିର ଗଜପତି ମହାରାଜାଙ୍କ ଦ୍ଵାରା ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ ।

ମା’ ଭଗବତୀଙ୍କ ପୀଠରେ ଚନ୍ଦନ ଯାତ୍ରା, ସାବିତ୍ରୀ ଅମାବାସ୍ୟା,
ଶୀତଳ ଷଷ୍ଠୀ,ମିନମରା, ସୁନିଆ, କୁମ୍ଭାଭିଷେକ ପରି ଅନେକ ପର୍ବ ମା’ ଭଗବତୀଙ୍କ ପୀଠରେ ପାଳିତ ହେଉଥିବା ବେଳେ ମା’ଙ୍କ ଦଶହରା ପର୍ବ ଅନ୍ୟତମ । ନବରାତ୍ରୀରୁ ଆରମ୍ଭ ହେଉଥିବା ଷୋହଳ ଦିନିଆ ଶରତ ପର୍ବ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଆଠ ଦିନ ମୁଖ୍ୟ ମନ୍ଦିରରେ ହେଉଥିବା ବେଳେ ଶେଷ ଆଠଦିନ ବାହାର ପର୍ବ ସାତ ବଖରା ପର୍ବ ଗୃହରେ ଅନୁଷ୍ଠିତ ହୋଇଥାଏ। ବର୍ଷର ଅନ୍ୟ ସମୟରେ ସେ ଦକ୍ଷିଣେଶ୍ୱରଙ୍କ ମନ୍ଦିରରେ ବିରାଜମାନ କରୁଥିବା ମା’ ଙ୍କର ଚଳନ୍ତି ପ୍ରତିମା ଚତୁର୍ଭୁଜା ମୂର୍ତ୍ତି କନକଦୁର୍ଗା ବାହାରକୁ ଆସିଥାନ୍ତି ।

ଭିତର ପର୍ବରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ, କନକ ଦୁର୍ଗା ଏବଂ ମା’ ଭଗବତୀଙ୍କ ପ୍ରଥମ ସେବକ ବଳିଜେନା ବାଣପୁର ବଜାର ପରିକ୍ରମା କରି ମୁଖ୍ୟ ମନ୍ଦିରରେ ଥିବା ଭିତର ପର୍ବ ଗୃହରେ ବିଜେ କରିବା ସହିତ ପୂଜା ସମାପନ ପରେ ବିଳମ୍ବିତ ରାତ୍ରୀରେ କାଠି ଠାକୁରାଣୀ ପୁର୍ନବାର ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏ ସମୟରେ ମନ୍ଦିରରେ ସ୍ଵତ୍ତନ୍ତ ପୂଜା ନୀତି ସହ ଦିନେ ଛଡ଼ା ଦିନେ “ବଳି ନାଟ” ହୁଏ। ଏହିପରି ଅମାବାସ୍ୟା ଯାଏଁ ପ୍ରତ୍ୟହ କାଠି ଠାକୁରାଣୀ ମା’ ଭଗବତୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ମୁଖ୍ୟ ମନ୍ଦିରରେ ବିଜେ କରିଥାନ୍ତି। ଅମାବାସ୍ୟା ଦିନ ଭିତର ପର୍ବ ସମାପନ ପରେ ମା’ ଭଗବତୀଙ୍କ ସମେତ ସାତ ଭଉଣୀ ଦକ୍ଷେଶ୍ଵର ମନ୍ଦିର ନିକଟରେ ସ୍ଵତନ୍ତ୍ର ଭାବେ ନିର୍ମିତ ସାତ ବଖରା ଗୃହରେ ବିଜେ କରଥାଆନ୍ତି। ବର୍ଷ ମଧ୍ୟରେ ମା’ ଙ୍କ ପୀଠରେ ଅନେକ ପର୍ବ ପାଳନ ହେଉଥିବା ବେଳେ ଦଶହରା ପର୍ବ ପାଳନର ସ୍ବତନ୍ତ୍ରତା ରହିଥିବା ବେଳେ ଏହାକୁ ଉପଭୋଗ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଠାରେ ଭିଡ ଜମାଇଥାନ୍ତି।

Leave a Reply

Your email address will not be published. Required fields are marked *