କରୋନା ଜନିତ ମୃତ୍ୟୁସଂଖ୍ୟା କୁ ଶୂନ କରିବା ଜିଲ୍ଳାପାଳଙ୍କ ଲକ୍ଷ୍ୟ

ଖୋର୍ଦ୍ଧା:୩୦/୦୪(ପ୍ରବାହ ନିଉଜ୍) ଜିଲ୍ଲାରେ କୋଭିଡର ଦ୍ରୁତଗତିରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ପୂର୍ବପ୍ରସ୍ତୁତି ଆରମ୍ଭ କରିସାରିଛି ।

କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବାକୁ ଉଦ୍ୟମ କରୁଛୁ । ଗତବର୍ଷ କରୋନା ମହାମାରୀ ସମୟରେ ସରପଞ୍ଚ ଠାରୁ ଆରମ୍ଭ କରି ଆଶା ଓ ଅଙ୍ଗନବାଡି କର୍ମୀମାନେ ଯେପରି କୋଭିଡ ମୁକାବିଲାରେ ଆଗ ଧାଡିର ଯୋଦ୍ଧା ସାଜି ତୃଣମୂଳ ସ୍ତରରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ତାହା ପ୍ରଶସଂନୀୟ। କରୋନା ମହାମାରୀ ର ଏହି ଦ୍ୱିତୀୟ ଲହରିରେ ମଧ୍ୟ ସେମାନଙ୍କ ଉପରେ ଗୁରୁ ଦାୟିତ୍ଵ ରହିଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନ୍ନତ କୁମାର ମହାନ୍ତି ।

ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ, ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହ ସଜାଗ ହୋଇ ରହିବା ପାଇଁ କୁହାଯାଇଛି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ଅବଗତ କରାଇବା ସହିତ କୋଭିଡ ସଂକ୍ରମିତଙ୍କ ବିଷୟରେ ପ୍ରଶାସନକୁ ସୂଚନା ଦେବା ପାଇଁ କୁହାଯାଇଛି ।

ମଇ ମାସ ପ୍ରଥମ ସପ୍ତାହ ରେ କୋଭିଡ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମିତ ରୋଗୀଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ସଂକ୍ରମିତଙ୍କୁ ଡାକ୍ତରମାନେ ମୋବାଇଲ ମାଧ୍ୟମରେ ଆଶୁ ଚିକିତ୍ସା ନିମନ୍ତେ ପରାମର୍ଶ ଦେଉଛନ୍ତି ।  ତତ୍କାଳ ସେବାକାରୀ ଦଳ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରୁଛନ୍ତି । ଜିଲ୍ଲାର ଜଟଣୀ ଖୁଦୁପୁର ନିକଟରେ ରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ କେୟାର ସେଣ୍ଟର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏଠାରେ ରୋଗୀଙ୍କ ପାଇଁ ଉତ୍ତମ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସୁବିଧା ସହିତ ଅକ୍ସିଜେନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସେହିଭଳି ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତର ଜାମୁଝରୀ ଠାରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ହୋଇ ସାରିଛି। ସେପଟେ ଆଗାମୀ ୭ ଦିନ ମଧ୍ୟରେ ବାଲୁଗାଁର ଆଇଏନ୍‌ଏସ୍‌ ଚିଲିକା ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ କୋଭିଡ ଡାକ୍ତରଖାନା ପ୍ରସ୍ତୁତ ହେବ । ଗୁରୁତର ରୋଗୀଙ୍କ ପାଇଁ ସେଠାରେ ଜୀବନ ରକ୍ଷାକାରୀ ଯନ୍ତ୍ର (ଭେଣ୍ଟିଲେଟର)ର ସୁବିଧା ରହିବ ବୋଲି ଜିଲ୍ଳାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ସେହିଭଳି ବାଣପୁର ଅଞ୍ଚଳର ରୋଗୀଙ୍କ ନିମନ୍ତେ ନାଚୁଣୀ କଲେଜରେ ୧୫୦ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ର କରାଯାଉଥିବା ବେଳେ ବାଳକାଟିର ମଞ୍ଜରୀ ଦେବୀ ନର୍ସିଂ କଲେଜ ଠାରେ ୪ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ପ୍ରସ୍ତୁତି ଚାଲିଛି ।

ସେହିପରି ସାଧାରଣ ଲୋକଙ୍କୁ ସଚେତନ କରାଯିବା ସହିତ ମାସ୍କ ଚେକିଂ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା କଥା ଜିଲ୍ଳାପାଳ ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *