ଟିକାଦାନ ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି : ଚିନ୍ତାରେ ପ୍ରଶାସନର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା : ୨୨/୦୩/୨୦୨୧ : ପୁନର୍ବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟ ର ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ସମସ୍ତ କରୋନା ଯୋଦ୍ଧାଙ୍କୁ ଟିକାଦାନ ପ୍ରକ୍ରିୟା ଜାରି ରହିଛି ।
ଏତେ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ମହମାରୀ କରୋନା ଥମିବାର ନାମ ଧରୁନି ବରଂ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି ଓ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଗତ ୨୦ ତାରିଖରେ ୬ ଜଣ ସଂକ୍ରମିତ ଥିବା ବେଳେ ଏବେ ପୁଣି ୨୪ ଘଣ୍ଟା ମଧ୍ୟରେ ଦୁଇ ନୂଆ ସଂକ୍ରମିତ ମିଶାଇ ସଂକ୍ରମିତ ଙ୍କ ସଂଖ୍ୟା ୮କୁ ବୃଦ୍ଧିପାଇଛି।
ବିଗତ ବର୍ଷ ଜିଲ୍ଲାରେ ୫୭ ଜଣ କରୋନା ରେ ଜୀବନ ହାରିଥିବା ବେଳେ ଗତ ୫ ଦିନ ହେବ ଜିଲ୍ଲାରେ ନୂଆ କରି ସଂକ୍ରମିତ ବିହ୍ନଟ ହେବା ଘଟଣା ପୁଣି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି ।
ଏହାକୁ ନେଇ ଜିଲ୍ଲାରେ କରୋନା ସଚେତନତା ଏବଂ ସତର୍କତା ଅବଲମ୍ବନ ଲାଗି ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ। ସର୍ବ ପ୍ରଥମେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି। ଦୋକାନ, ବଜାର, ସପିଂମଲ ଏବଂ ଜନଗହଳି ସ୍ଥାନରେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। କୋଭିଡ ନିୟମ ଉଲଂଘନ୍ନ କଲେ, ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାହାର ରାଜ୍ୟରୁ ଜିଲ୍ଲାକୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହିତ ସେମାନଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯିବ। ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ଥର୍ମାଲ ସ୍କ୍ରିନିଂ, ସାନିଟାଇଜେସନ ଉପରେ ଗୁରୁତ୍ବ ଦେବେ । ବଜାର ଜନଗହଳି ସ୍ଥାନରେ ଏନଫୋର୍ସମେଣ୍ଟ କଡ଼ାକଡ଼ି ପାଳନ କରାଯିବ । ଫୁଟପାଥରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ଦୋକାନୀଙ୍କୁ ପୂର୍ବବର୍ଷ ଭଳି ହାବେଳି ପଡ଼ିଆ, ପଲ୍ଲା ଲୋକେଶ୍ୱରପୁର ମେଳଣ ପଡ଼ିଆ, ଭାଲିଆବାଡି ଓ ଗୁରୁଜଙ୍ଗ ମେଳଣ ପଡ଼ିଆରେ ଥଇଥାନ ଲାଗି ନିଷ୍ପତ୍ତି ହୋଇଛି।
କୋଭିଡ କୁ ନେଇ ଜାରି ହୋଇଥିବା ଗାଇଡ଼ ଲାଇନ ବଳବତ୍ତର ରହିବା ସହିତ ଗ୍ରାମାଞ୍ଚଳରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀମାନେ ସଂକ୍ରମିତ ରାଜ୍ୟରୁ ଆସିଥିବା ଲୋକଙ୍କ ଗତିବିଧ ଉପରେ ନଜର ରଖିବାକୁ ଜିଲ୍ଲାପାଳ ଶ୍ରୀମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
କେଭିଡ ନିୟମ ଉଲଂଘନ୍ନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସମେତ ପୌରପରିଷଦ ବିଭାଗ ଏବଂ ଜିଲ୍ଲା ପୁଲିସକୁ ଦାୟିତ୍ୱ ଦିଆଯାଇଛି ।
ବୈଠକରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କୋଭିଡ୍ ଟିକାଦାନକୁ ତ୍ବରାନ୍ବିତ ଏବଂ ଅଧିକରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଉପରେ ଗୁରୁତ୍ବ ଦେବାକୁ କହିଥିଲେ ।
ଚଳିତ ହୋଲି ଓ ଦୋଳ ଉତ୍ସବ ଉପରେ କଟକଣା କରାଯାଇଥିବା ବେଳେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଥିଲେ ପୂର୍ବରୁ କରୋନା ନିୟନ୍ତ୍ରଣ ଲାଗି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ବଜାର ବଣିକ ସଂଘ ତଥା ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି।
ବୈଠକରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳେଇ, ଜିଲ୍ଲାପାଳ ସନତ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା.ପ୍ରଶାନ୍ତ ଦାଶ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ତହସିଲଦାର ପଦ୍ମଚରଣ ସାହୁଙ୍କ ସହିତ ଖୋର୍ଦ୍ଧା ବିଡିଓ, ଜଟଣୀ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଖୋର୍ଦ୍ଧାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।