ଅଣ୍ଡରପାସ ବଦଳରେ ଫ୍ଲାଏ ଓଭର ନିର୍ମାଣ ଦାବିରେ ରାଜରାସ୍ତାରେ ଖୋରଧା ନାଗରିକ ମଞ୍ଚ

ଖୋର୍ଦ୍ଧା: ୦୨/୦୪/୨୦୨୧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଯାଇଥବା ୧୬ନଂ ଜାତୀୟ ରାଜପଥରେ ଚାଲିଥିବା ଅଣ୍ଡରପାସ୍ ନିର୍ମାଣକୁ ବିରୋଧ କରି ଶୁକ୍ରବାର ଖୋର୍ଦ୍ଧା ନାଗରିକ ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ଅଣ୍ଡାରପାସ ନିର୍ମାଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ମଞ୍ଚର କର୍ମକର୍ତ୍ତା । ଖୋର୍ଦ୍ଧାବାସୀ ଙ୍କ ସହିତ ସରକାର ଧୋକାବାଜି କରୁଛନ୍ତି । ଫ୍ଲାଏଓଭର ସ୍ଥାନରେ ଅଣ୍ଡରପାସ କରୁଥିବାରୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଠାରେ ନିର୍ମାଣ କରାଇ ଦିଆଯିବ ନାହିଁ ବୋଲି କହିବା ସହିତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦୁର୍ଘଟଣା ରୋକିବା ଲାଗି ଏଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଫ୍ଲାଏଓଭର ବ୍ରିଜ ନିର୍ମାଣ ଲାଗି ଜିଲ୍ଲା ପ୍ରଶାସନ ନିକଟରେ ପୂର୍ବରୁ ବହୁବାର ଦାବି ହୋଇ ଆସୁଛି।

ମିଳିଥିବା ସୂଚନା ଅନୁଯାୟୀ, ୧୬ନଂ. ଜାତୀୟ ରାଜପଥରେ ୬ଲେନ ଲାଗି ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପଲ୍ଲା ବାଇପାସ ଛକ, ଜେମାଦେଇ ଶିଳ୍ପାଞ୍ଚଳ ଛକ ଏବଂ ତାପଙ୍ଗ ଛକରେ ଅଣ୍ଡରପାସ ନିର୍ମାଣ ଲାଗି ଜାତୀୟ ରାଜପଥ ପ୍ରାଧୂକରଣ ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି। ଏଥି ନିମନ୍ତେ ଠିକା ସଂସ୍ଥା ଏଆଇପିଏଲ କୁ ଜାତୀୟ ରାଜପଥ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ଦିଆଯାଇଛି । ଠିକା ସଂସ୍ଥା ଦ୍ୱାରା ଗୁରୁବାର ରାତିରେ ଜାତୀୟ ରାଜପଥ ଖୋଳାଯିବାରୁ ଅଣ୍ଡରପାସ ନିର୍ମାଣ ହେଉଥିବା ଜଣା ପଡ଼ିବା ପରେ ଶୁକ୍ରବାର ସକାଳ ସମୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ଏକାଧିକ କର୍ମକର୍ତ୍ତା ପହଁଞ୍ଚି ଉକ୍ତ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଘଟଣା ସ୍ଥଳରେ ଧାରଣାରେ ବସିଥିଲେ।

ଫ୍ଲାଏଓଭର ବ୍ରିଜ ନିର୍ମାଣ ପରିବର୍ତ୍ତେ କାହିଁକି ଏଠାରେ ଅଣ୍ଡରପାସ ଲାଗି ରାଜପଥ ଖୋଲାଯାଉଛି ବୋଲି କହିଥିଲେ। ଏହାକୁ ନେଇ ସଂସ୍ଥା ଏବଂ ମଞ୍ଚ କର୍ମକର୍ତ୍ତା ମୁହାଁମୁହିଁ ହୋଇଥିଲେ। ଶୁକ୍ରବାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଗାଡିକୁ ଫେରାଇ ନେଇଯିବାକୁ ମଞ୍ଚ କର୍ମକର୍ତ୍ତା ଅଡ଼ି ବସିଥିଲେ ।

ଠିକା ସଂସ୍ଥା ଗାଡ଼ି ଗୁଡ଼ିକ କାର୍ଯ୍ୟସ୍ଥଳରୁ ନ ନେବା ଦ୍ୱାରା ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉତ୍ତେଜନା ବଢିବାରୁ ବାଧ୍ୟ ହୋଇ ଠିକାସଂସ୍ଥା କାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକ ଫେରାଇ ନେଇଥିଲା ଓ ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି।

ତେବେ ଦୀର୍ଘ ସମୟ ଧରି ନିର୍ମାଣସ୍ଥଳରେ ବିକ୍ଷୋଭ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିଲେ। ଏନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ମଞ୍ଚ ଆବାହକ ସଞ୍ଜୟ ପଟ୍ଟନାୟକ, ରଞ୍ଜିତ ମହାପାତ୍ର, ଅମିତ ମହାନ୍ତି, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ବିଶ୍ୱମୋହନ ସାହୁ, ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର, ଶିଶିର ପରିଡା ଓ ସମାଜସେବୀ ନରେନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକମାନେ ଏଥିରେ ସାମିଲ ଥିଲେ।

ମଞ୍ଚ ଆବାହକ ପଟ୍ଟନାୟକ କହିଛନ୍ତି, ଏଠାରେ ଅଣ୍ଡରପାସ ନିର୍ମାଣ ହେଲେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ଓ ଏହା ସହିତ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହିଛି। ପ୍ରତ୍ୟହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ କାର୍ଯ୍ୟାଳୟକୁ ମଧ୍ୟ ବିଭିନ୍ନ କାର୍ଯ୍ୟ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଅଞ୍ଚଳର ଶତାଧିକ ଲୋକଙ୍କର ଯାତାୟାତ ରହିଥାଏ। ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁର ଆଦି ସମୁଦାୟ ୭ଗୋଟି ଜିଲ୍ଲାକୁ ଯିବା ଲାଗି ଏହି ରାସ୍ତାରେ ଦୈନିକ ଶତାଧିକ ଯାନବାହନ ଚଳାଚଳ କରିଥାଏ। ଫଳରେ ଏଠାରେ ଅଣ୍ଡରପାସ ନିର୍ମାଣ ହେଲେ ଯାତାୟାତ ବାଧାପ୍ରାପ୍ତ ହେବ ।
ଏ ପଟେ ଠିକାସଂସ୍ଥା ର ସ୍ଥାନୀୟ ଅଧିକାରୀ ଏମ୍.କେ. ସାମଲ ଓ ଏଲ ସନ୍ଦୀପ କହିଛନ୍ତି, ଏନ. ଏଚ. ଏ. ଆଇ. ର ନିର୍ଦ୍ଦେଶକ୍ରମେ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି ।