ଗ୍ରାହକ ସମ୍ପର୍କ ହିଁ ଷ୍ଟେଟ ବ୍ୟାଙ୍କର ମୂଳ ମନ୍ତ୍ର : ମୁଖ୍ୟ ମହାପ୍ରବନ୍ଧକ ଚନ୍ଦର ଶେଖର

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ହର ଘର ତିରଙ୍ଗା ଅଭିଯାନରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ତା13/08/2022 ଦିନ ଏକ ଭାରତୀୟ ଜାତୀୟ ପତାକା ସହିତ ପ୍ରଭାତ ଫେରି ଆୟୋଜନ କରାଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ନେତୃତ୍ଵ ନେଇଥିଲେ । ଶ୍ରୀ ଶର୍ମା ଙ୍କ ସହ ଏହି ଶୋଭାଯାତ୍ରାରେ ମହାପ୍ରବନ୍ଧକ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ , ଅନ୍ୟ ବରିଷ୍ଠ ମହାପ୍ରବନ୍ଧକମାନଙ୍କ ସହ 300 ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ଏଥିରେ ଷ୍ଟେଟ ବ୍ୟାଙ୍କକର୍ମୀମାନ ସକାଳ 6:45 ରେ ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯାଲୟରୁ ବାହାରି ଦେଶଭକ୍ତି ମୂଳକ ଉତ୍ସାହ ଓ ଜନସାଧାରଣଙ୍କ ପାଇଁ ସ୍ଵାଧୀନତା ଦିବସର ଶୁଭେଚ୍ଛା ନେଇ ଭବ୍ୟ ଶୋଭାଯାତ୍ରା ସହ ପାଖା ପାଖି 3 କିଲୋମିଟର ପଦଯାତ୍ରା କରିଥିଲେ । ଷ୍ଟେଟ ବ୍ୟାଙ୍କ ସମଗ୍ର ରାଜ୍ୟରେ 12 ଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଜାତୀୟ ପତାକା ବଣ୍ଟନ ମଧ୍ୟ ସାମିଲ କରାଯାଇଛି। ଏହି ପତାକାଗୁଡିକୁ ଓଡିଶା ସରକାରଙ୍କ ମିଶନ ଶକ୍ତି ଅନ୍ତର୍ଗତ ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ଠାରୁ କ୍ରୟ କରାଯାଇଛି । ଶୋଭାଯାତ୍ରା ଶେଷରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ଉନ୍ନତ ମାନର ଗ୍ରାହକ ସେବା ପାଇଁ ଷ୍ଟେଟ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଓ ଗ୍ରାହକ ସମ୍ପର୍କ ଦ୍ଵାରା ହିଁ ବ୍ୟାଙ୍କକର୍ମୀମାନେ ଉତ୍ତମ ଦେଶସେବା କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଶ୍ରୀ ଶର୍ମା , ଷ୍ଟେଟ ବ୍ଯାଙ୍କ ତରଫରୁ ସମସ୍ତ ନାଗରିକ ମାନଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ ।