ସିଆରପିଏଫ ଓ ଆଇଟିବିପି ପକ୍ଷରୁ କଟକରେ ଆଜାଦି କା ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ପାଳିତ

ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ

ନେତାଜୀଙ୍କ ବୀରତ୍ୱ ଓ ସାହସକୁ ସ୍ମରଣ କରି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

ନୂଆଦିଲ୍ଲୀ, ୨୧/୧(ପି.ଆଇ.ବି.)- ଆଜାଦିର ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ୍ ଏବଂ ଆଇଟିବିପି ପକ୍ଷରୁ ଓଡିଶା ସରକାରଙ୍କ ସହଯୋଗରେ ଐତିହାସିକ ନଗରୀ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଐତିହାସିକ ନଗରୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଲାଭ କରିବା ସହିତ ନିଜର କୈଶୋର ସମୟ ମଧ୍ୟ ଅତିବାହିତ କରିଥିଲେ ।

ସକାଳେ ନେତାଜୀଙ୍କ ଜନ୍ମସ୍ଥାନ ଓଡିଆ ବଜାରରୁ ଏକ ବିରାଟ ରାଲି ବାହାରି କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ତୁଳସୀପୁର ଆନନ୍ଦ ଭବନକୁ ଯାଇଥିଲା । ଏଥିରେ ସିଆର୍‌ପିଏଫ, ଆଇଟିବିପି, ଓଡିଶା ପୁଲିସର ସଦସ୍ୟଗଣ ଛାତ୍ରଛାତ୍ରୀ, ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସାଇକେଲ ର‌୍ୟାଲି ମଧ୍ୟ ଆୟୋଜିତ ହୋଇଥିଲା । କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଶ୍ରୀ ଭବାନୀଶଙ୍କର ଚୟନୀ, ସିଆରପିଏଫ ଓ ଆଇଟିବିପିର ଅଧିକାରୀଗଣ ଉପସ୍ଥିତ ଥିଲେ ।

ଷ୍ଟିୱାର୍ଟ ସାଇନ୍ସ କଲେଜ ପରିସରରେ ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହାଛଡା ନେତାଜୀ ପାଠ ପଢିଥିବା ରେଭେନ୍ସା କଲେଜିଏଟ୍ ସ୍କୁଲ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ନେତାଜୀଙ୍କ ବୀରତ୍ୱ ଓ ଆଜାଦ ହିନ୍ଦ୍ ଫୌଜର ସାହାସକୁ ସ୍ମରଣ କରିବା ପାଇଁ ସହିଦଭବନରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ସବୁ ଅସ୍ତ୍ରଶସ୍ତ୍ର ମଧ୍ୟରେ ଥିଲା ସିଜିଆର୍‌ଏଲ୍‌, ଅଟୋମେଟିକ୍ ଗ୍ରେଜେଡ୍ ଲଞ୍ଚର, ୮୧ ଏମ୍‌ଏମ୍ ମୋର୍ଟାସ୍‌, ୭.୬୨ଏମ୍‌ମ୍ ଏମ୍‌ଏମ୍‌ଜି, ୭.୬୨ଏମ୍‌ଏମ୍ ସ୍ନାଇପର, ଘାତକ ରାଇଫଲ, ଓୟାରଲେସ୍ କମ୍ୟୁନିକେସନ ସିଷ୍ଟମ ଆଦି ଅନ୍ତର୍ଭୁକ୍ତ ।

ଏହାଛଡା ନେତାଜୀଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଏକ ଡାକଟିକଟ ପ୍ରଦର୍ଶନୀ ଓ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ସହିଦମାନଙ୍କ ପରିବାରର ସଦସ୍ୟଙ୍କୁ ସମ୍ମାନୀତ କରାଯିବା ସହିତ ଦେଶାତ୍ମବୋଧକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ଆଇକନିକ୍ ଇଭେଣ୍ଟସ୍ ସପ୍ତାହ ଚଳିତ ଜାନୁୟାରୀ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ।

ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଏସବୁ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଭାଗରେ ଆୟୋଜିତ ହେଉଛି । ଏଥିରେ ନେତାଜୀ ସୁଭାଷ ବୋଷଙ୍କ ଜୀବନୀ ଏବଂ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ତାଙ୍କର ଅବଦାନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ପାଇଛି ।

ଏହି କାର୍ଯ୍ୟକ୍ରମର ଭବ୍ୟ ଉଦ୍‌ଯାପନ ଉତ୍ସବ ଚଳିତମାସ ୨୩ତାରିଖ (୨୩ଜାନୁୟାରୀ ୨୦୨୩)ରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରଠାରେ ଅନୁଷ୍ଠିତ ହେବ । ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ମୁଖ୍ୟ ଅତିଥିଭାବେ ଯୋଗଦେବେ ।

Leave a Reply

Your email address will not be published. Required fields are marked *