ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ନେଲେ କୋଭିଡ ଟିକାର ପ୍ରଥମ ଡୋଜ

ଖୋର୍ଦ୍ଧା : ୦୭/୦୫ (ପ୍ରବାହ ନିଉଜ୍) ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହିତ ରାଜ୍ୟରେ କୌଣସି ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ପାଇଁ ସରକାରୀ ସହାୟତା ୧୫ଲକ୍ଷ ଅର୍ଥରାଶି ମିଳିବା କଥା ସାମ୍ବାଦିକ ମାନଙ୍କ ପାଇଁ ଏକ ଖୁସିର ଖବର ହୋଇଥିବା ବେଳେ ଏଣିକି ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ଭାବେ କୋଭିଡ୍ ଟିକା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ରାଜ୍ୟବ୍ୟାପି ସାମ୍ବାଦିକ ଙ୍କୁ ଟିକା ପ୍ରଦାନ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାର ଅନେକ ସାମ୍ବାଦିକ ପ୍ରଶାସନ ନିକଟରେ ଏକ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟରେ ଟିକା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ଟୀକାକରଣ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ ଟିକାକରଣ କେନ୍ଦ୍ର ସମ୍ମୁଖରେ ସାଧାରଣ ଲୋକଙ୍କ ଭିଡ଼ ଏବଂ ସାମାଜିକ ଦୂରତା ଉଲଂଘନ ହେବା ଦୃଶ୍ୟ ଦେଖିବା ପରେ ବହୁ ସାମ୍ବାଦିକ ଏଠାରେ ଟିକା ନେବାକୁ ଅଗ୍ରାହ୍ୟ ପ୍ରକାଶ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରି ସମୂହ ଟିକା ବର୍ଜନ କରିବାକୁ ନିଷ୍ପତି ନେଇଥିଲେ।

ଏ ସମ୍ପର୍କରେ ଖବର ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ପରେ ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ସ୍ବତନ୍ତ୍ର ଭାବେ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଆଦେଶ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ଜିତେନ୍ଦ୍ର କୁମାର ଭଞ୍ଜଙ୍କୁ ପ୍ରଥମେ ଟୀକା ଦିଆଯିବା ପରେ ପ୍ରକାଶ କୁମାର ହାତୀ, ସନ୍ତୋଷ କୁମାର ବାରିକ, ଦିଲ୍ଲିପ ପଟ୍ଟନାୟକ, ପ୍ରବୀଣ ଭଞ୍ଜ, ରଣଜିତ ସାମନ୍ତରାୟ, ଗୋବିନ୍ଦ ପଣ୍ଡା ଓ ମନୋଜ କୁମାର ସାହୁ ପ୍ରମୁଖଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ମାନେ ସେଠାରେ ଟିକା ନେଇଥିବାବେଳେ ଆଉ କିଛି ସାମ୍ବାଦିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ଟିକା ନେଇଥିବା ଜଣାପଡ଼ିଛି ।

ଏଥିରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ, ସହକାରୀ ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ସାମ୍ବାଦିକ ମାନଙ୍କୁ ଟୀକାକରଣ କରାଯାଇଥିଲା ।