ଆଇଏନ୍‌ଏସ୍ ଚିଲିକାରେ କୋଭିଡ ସଂକ୍ରମିତଙ୍କ ନିମନ୍ତେ ପ୍ରସ୍ତୁତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର

ଖୋର୍ଦ୍ଧା : ୦୨/୦୪/୨୦୨୧: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୪ ଲକ୍ଷ ଉପରେ ପହଞ୍ଚିଛି। ଏପଟେ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି । ସଂକ୍ରମଣ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ।ଏହା ସହିତ ଖୋର୍ଦ୍ଧା ପୌରାଞ୍ଚଳ ସମେତ ଏହାର ଉପଖଣ୍ଡ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଦ୍ରୁତଗତିରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ପୂର୍ବପ୍ରସ୍ତୁତି ଆରମ୍ଭ କରିସାରିଛି ।
ଏଥିପାଇଁ ଜିଲ୍ଳାପାଳ ଶ୍ରୀ ମହାନ୍ତି ଆଇଏନ୍‌ଏସ୍ ଚିଲିକା କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଥିବା ବେଳେ ଆଇଏନ୍‌ଏସ୍‌ ଚିଲିକା ପରିସରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ଦେଇଥିବା ସହିତ ଗୁରୁତର ରୋଗୀଙ୍କ ପାଇଁ ସେଠାରେ ଜୀବନ ରକ୍ଷାକାରୀ ଯନ୍ତ୍ର (ଭେଣ୍ଟିଲେଟର)ର ସୁବିଧାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି।


କୋଭିଡ୍ ସଂକ୍ରମଣର ମୁକାବିଲା କରିବା ପାଇଁ ଆଇଏନ୍‌ଏସ୍ ଚିଲିକା ପରିସରରେ ଥିବା ନୌସେନା ପ୍ରଶିକ୍ଷାର୍ଥୀ ମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି।


ଏହି କୋଭିଡ କେୟାର ସେଣ୍ଟରରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଭିଜ୍ଞ ଚିକିତ୍ସକ, ପାରା ମେଡିକାଲ୍ କର୍ମଚାରୀଙ୍କର ଏକ ଟିମ ରୋଗୀସେବା ନିମନ୍ତେ ୨୪ ଘଣ୍ଟା ନିୟୋଜିତ ରହିବେ ।

ରୋଗୀମାନଙ୍କୁ ସଂକ୍ରମଣ ସମ୍ବନ୍ଧିତ ସତର୍କତା ଅବଲମ୍ବନ କରିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ସଙ୍ଗରୋଧ ଅଥବା ଚିକିତ୍ସା ସମୟରେ ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *