ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଦ୍ଧା : ୦୭/୦୫ (ପ୍ରବାହ ନିଉଜ୍) ୧୪ ଦିନିଆ ଲକ୍ଡାଉନ ଯୋଗୁ ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ମଦଦୋକାନରେ ତାଲା ଝୁଲୁଥିବା ବେଳେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠି ମଦମାଫିଆ ସେମାନଙ୍କ ବେପାର ଆରମ୍ଭ କରିଛନ୍ତି । ଗାଁ ଗହଳିରେ ମଦ ମାଫିଆ ମାନେ ଚୋରାରେ ଦେଶୀ ମଦ ପ୍ରସ୍ତୁତ କରିବା ସହିତ ତାକୁ ବିକ୍ରୀ କରି ଲକ୍ଡାଉନ୍ର ଭରପୁର ଫାଇଦା ଉଠାଇ ମାଲାମାଲ ହେଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ନେଇ ସହରାଞ୍ଚଳରେ ପାନ ଦୋକାନ ରୁ ଆରମ୍ଭ କରି ଭେରାଇଟି ଷ୍ଟୋରରେ ମଧ୍ୟ ଚୋରା ବିଦେଶୀ ମଦ ବିକ୍ରୀ ହେଉଛି । ଏ ସମ୍ପର୍କରେ ଖୋର୍ଦ୍ଧା ଅବକାରୀ ବିଭାଗ ଖବର ପାଇ ଶୁକ୍ରବାର ଦିନ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରି ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଗିରଫ ବେପାରୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବେଗୁନିଆ ଥାନା ଅଧୀନସ୍ଥ ବଡ଼ପଦର ଗ୍ରାମର ଏକ ପୋଖରୀ କୂଳରେ ବିପୁଳ ପରିମାଣ ରନ୍ଧାମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ଅଚାନକ ଚଢାଉ କରିଥିଲା। କିନ୍ତୁ କୌଣସି ସୂତ୍ରରେ ଖବର ପାଇ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ସେଠାରୁ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହିତ ପାଞ୍ଚ ହଜାର ଚାରି ଶହ ଲିଟର ପୋଚ ଜବତ କରି ନଷ୍ଟ କରିଥିଲା।

ସେହିପରି ଖୋର୍ଦ୍ଧା ପୁରୁଣା ବସ ଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ ପମ୍ପ ଛକ ନିକଟରେ ଥିବା ଏକ ଭେରାଇଟି ଷ୍ଟୋରରେ ପ୍ରଚୁର ପରିମାଣର ଗଛିତ ରଖାଯାଇ ମଦ ବିକ୍ରୀ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରି ଭେରାଇଟି ଷ୍ଟୋର ମାଲିକ ଶିଲୁ କୋଦାମସିଂହ(୨୫)ଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଶିଲୁର ଘର ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମ ବୋଲି ଜଣାପଡିଛି ।
ସେହିପରି ଖୋର୍ଦ୍ଧା ଉପରସାହିର ରତିକାନ୍ତ ଦାସ(୩୦)ଙ୍କୁ ଗିରଫ କରିଥିବାବେଳେ ଉପରୋକ୍ତ ଦୁଇ ଜଣଙ୍କ ଠାରୁ ବିପୁଳ ପରିମାଣ ବିଦେଶୀ ମଦ ଜବତ କରିଛି । ଏହା ସହିତ ଆଦର୍ଶ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ରଞ୍ଜୁ ବଢେଇ(୩୦) ନାମକ ମହିଳା ଏବଂ ହଳଦିଆ କୁଆପୁଟ ଗ୍ରାମର ଚଣ୍ଡେଶ୍ବର ସାହୁ(୩୨) ଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି।

ଅଭିଯୁକ୍ତ ମାନଙ୍କ ନିକଟରୁ ଅବକାରୀ ବିଭାଗ ୧୧୬ ଲିଟର ବିଦେଶୀମଦ ସହିତ ଏକ ଶହ ଲିଟର ବିୟର ଓ ୩୨୦ ଲିଟର ଦେଶୀ ମଦ ଜବତ କରିବା ସହ ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ ଥାନାରେ ୬ ଓ ୭ / ୨୦୨୧-୨୨ ଏବଂ ୧୨ ଓ ୧୩/୨୦୨୧-୨୨ ରେ ଦୁଇଟି ପୃଥକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।