‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ହୃଦ୍‌ଘାତ ଯୋଗୁଁ କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ମୃତ୍ୟୁ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ପଦଯାତ୍ରା କରୁଥିବା ବ‌େଳେ ତାଙ୍କର ହୃଦ୍‌ସ୍ପନ୍ଦନ ବଢ଼ି ଯିବାରୁ ହଠାତ୍‌ ସେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ଆମ୍ବୁଲାନ୍‌ସ୍‌ ଯୋଗେ ତାଙ୍କୁ  ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଛନ୍ତି।

ଖବର ପାଇବା ପରେ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର  ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ଆତ୍ମା ଶାନ୍ତି ଲାଭ କରୁ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଶୋକବ୍ୟକ୍ତ କରି ଲେଖିଛନ୍ତି, ଆଜି ହୃଦ୍‌ଘାତ ଯୋଗୁଁ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଖୁବ୍‌ ଦୁଃଖିତ। ଏଭଳି ଦୁଃଖଦାୟକ ସମୟରେ ତାଙ୍କର ପରିବାରବର୍ଗଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ସ୍ବର୍ଗତ ଆତ୍ମାକୁ ୱାହେଗୁରୁଜୀ ଚିର ଶାନ୍ତି ପ୍ରଦାନ କରନ୍ତୁ।

ସୂଚନାଯୋଗ୍ୟ, ଆଜି ସକାଳେ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବରେ ପଞ୍ଜାବର ଫତେଗଡ଼ ସାହିବ୍‌ ଅନ୍ତର୍ଗତ ସିର୍‌ହିନ୍ଦ୍‌ରୁ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *