ଦିଲ୍ଲୀରେ ସାଂସଦ ଅନନ୍ତ ନାୟକ ଓ ବଳଭଦ୍ର ମାଝୀଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

ନୂଆଦିଲ୍ଲୀ : ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱା.ଓ.ସୋ )ତରଫରୁ ଏଠାରେ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ ଏବଂ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ନୂଆଦିଲ୍ଲୀର ଓଡିଶା ନିବାସ ଠାରେ ଆୟୋଜିତ ଏକ ମନୋଜ୍ଞ ସମାବେଶରେ ଉଭୟ ଲୋକସଭା ସଦସ୍ୟଙ୍କୁ ୱା.ଓ.ସୋ ତରଫରୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଏବଂ ଫଳକ ପ୍ରଦାନ କରାଯାଇ ବାଧାଇ ଜଣାଯାଇଥିଲା। ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ଆଇ. ଟି. ସାଧାରଣ ସମ୍ପାଦକ ତଥା ଯାଜପୁରର ନବ ନିର୍ବାଚିତ ସାଂସଦ ଡ଼ଃ ରଵୀଦ୍ର ନାରାୟଣ ବେହେରାଙ୍କର ନେତୃତ୍ୱରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ଆସରରେ ୱା.ଓ.ସୋ ର ବହୁ ସଦସ୍ୟ ଓ ଶୁଭେଚ୍ଛୁ ଯୋଗ ଦେଇଥିବା ଦେଖା ଯାଇଥିଲା l
ସମାବେଶକୁ ସମ୍ବୋଧନ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ନୂତନ ଏଵଂ ସୁବର୍ଣ୍ଣ ଓଡିଶା ଗଠନ ପାଇଁ ୱାର୍ଲଡ଼ ଓଡ଼ିଶା ସୋସାଇଟିର ରହିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଉଭୟ ସାଂସଦଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ଯାଜପୁରର ସାଂସଦ ଡ଼ଃ ରବୀନ୍ଦ୍ର ନାରୟଣ ବେହେରା, ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ୱା.ଓ.ସୋର ବହୁବିଧ ଯୋଜନା ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସାଂସଦ ଅନନ୍ତ ନାୟକ, ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା କେଉଁଝର ରାଜ୍ୟର ସବୁଠୁ ଅବହେଳିତ ଜିଲ୍ଲା ଭାବରେ ପରିଗଣିତ ହେଉଥିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେବାପରେ କେଉଁଝର ବାସୀଙ୍କୁ ବିକାଶର ଶୀଖର ଦୃଶ୍ୟମାନ ହେବା ନିଶ୍ଚିତ ବୋଲି ଶ୍ରୀ ନାୟକ ଦମ୍ଭର ସହିତ ସୂଚାଇଥିଲେ।
ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁରବାସୀ ତାଙ୍କ ପ୍ରତି ପ୍ରଦାନ କରିଥିବା ଅଜସ୍ର ଆଶୀର୍ବାଦ ନେଇ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ ହୋହାଲ୍ଲା ଓ ଚର୍ଚ୍ଚା, ଆଲୋଚନାରୁ ଦୂରରେ ରହି ସଦାସର୍ବଦା ତୃଣମୂଳ ସ୍ତରରେ ଲୋକଙ୍କର ସ୍ୱାର୍ଥ ସାଧନ ଓ ସମସ୍ୟା ସମାଧାନ ନେଇ ଉତ୍ସର୍ଗୀକୃତ ସେବା କରି ଆସିଥିବାରୁ ଭୋଟଦାତା ମାନେ ତାଙ୍କ ପ୍ରତି ପ୍ରଚଣ୍ଡ ଆସ୍ଥା ଓ ଅଖଣ୍ଡ ଭରସା ପ୍ରକଟ କରିଥିବା ଦର୍ଶାଇଥିଲେ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୱା.ଓ.ସୋ ର ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ବ୍ୟଞ୍ଜନ ବିଭାଗର ସଂଯୁକ୍ତ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହରା, ବରିଷ୍ଠ ସଦସ୍ୟ ଆଚାର୍ଯ୍ୟ ଅଭିମନ୍ୟୁ, ସ୍ୱପ୍ନାରାଣୀ ରାଉତ, ବିଜେପିର ଯୁବ ନେତା ଚିତ୍ତରଞ୍ଜନ ସାହୁ ଓ ପ୍ରଧାନମନ୍ତ୍ରୀ ମ୍ୟୁଜିୟମର ଅଧିକାରୀ ଦିପ୍ତୀରଞ୍ଜନ ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ l