ଭୁଶୁଡ଼ିଲା ନିର୍ମାଣାଧୀନ କୋଠା ; ୪ ଆହତ

ପୁରୀ(ପ୍ରବାହ ନ୍ୟୁଜ୍) : ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା । ଏଥିରେ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛି ଶ୍ରମିକ ଫସିରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବନିର୍ମିତ କୋଠାର ଛାତ ପଡ଼ୁଥିଲା । ୬ରୁ ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ । ହଠାତ୍ ଛାତଟି ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ତା’ତଳେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଶ୍ରମିକମାନେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ କର୍ମଚାରୀ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଜେସିବି ମେସିନ ଦ୍ୱାରା ଲୁହା ରଡକୁ ଉଠାଯାଉଛି । ତେବେ କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା କାରଣ ଜଣାପଡ଼ିନାହିଁ । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଜାରୀ ରଖିଛି ।