ଟାଟା ଷ୍ଟିଲ ମାଇନିଂ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ୨୦୨୧-୨୨ ବର୍ଷ ପାଇଁ ସିଆଇଆଇ ଦ୍ୱାରା ପୁରସ୍କୃତ

ସିଆଇଆଇର ଓଡ଼ିଶା ପରିଷଦ ଦ୍ୱାରା କମ୍ପାନୀର ଗୋପାଳପୁର ଫେରୋକ୍ରୋମ କାରଖାନା ଓ ସୁକିନ୍ଦା କ୍ରୋମାଇଟ ଖଣି ପୁରସ୍କୃତ

ଭୁବନେଶ୍ୱର, ଅଗଷ୍ଟ ୨୮, ୨୦୨୨: ଓଡ଼ିଶାର ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଯଥାକ୍ରମେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ଗୋପାଳପୁର ଫେରୋକ୍ରୋମ କାରଖାନା ଏବଂ ସୁକିନ୍ଦା କ୍ରୋମାଇଟ ଖଣିକୁ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୧-୨୨ ବର୍ଷ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ (ଏସ୍‌ଏଚ୍‌ଇ) କ୍ଷେତ୍ରରେ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଖଣି ବିଭାଗରେ ବିଜେତା ଭାବେ ଘୋଷିତ କରାଯାଇଥିବାବେଳେ ଗୋପାଳପୁରର ଫୋରୋକ୍ରୋମ କାରଖାନା ବୃହତ୍ ନିର୍ମାଣକାରୀ ବିଭାଗରେ ବିଜୟୀ ହୋଇଛି । କମ୍ପାନୀ ତରଫରୁ ଗୋପାଳପୁର ଫେରୋ ଆଲୟେଜ କାରଖାନାର ସହକାରୀ ମହା ପ୍ରବନ୍ଧକ ବଥୁଲା ଶ୍ରୀନିବାସ ଏବଂ ସୁକିନ୍ଦା କ୍ରୋମାଇଟ୍ ଖଣିର ସହକାରୀ ମହା ପ୍ରବନ୍ଧକ ସମ୍ବୁ ନାଥ ଝା ସିଆଇଆଇ ଓଡ଼ିଶା ପରିଷଦର ଉପାଧ୍ୟକ୍ଷ ଏସ୍ ଏସ୍ ମହାନ୍ତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହି ପୁରସ୍କାର ପାଇ ଖୁସି ପ୍ରକାଶ କରିବା ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଥିଲେ ଯେ, “ ଉତ୍ପାଦନରେ ଉନ୍ନତି ଓ ଶ୍ରମଶକ୍ତିର କଲ୍ୟାଣ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଓ ସୁସ୍ଥ କର୍ମଚାରୀ ରହିବା ନିହାତି ଆବଶ୍ୟକ । ଏହାର ସମସ୍ତ ୟୁନିଟ୍‌ରେ ନିରାପତ୍ତା, କର୍ମଚାରୀମାନଙ୍କ ସହିତ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ନେବା ପାଇଁ ଟାଟା ଷ୍ଟିଲ ମାଇନିଂ ଏହାର ସମସ୍ତ ଅଂଶୀଦାରମାନଙ୍କ ସହିତ ମିଶି କାର୍ଯ୍ୟ ଜାରି ରଖିଛି ।”

ପରିବେଶ, ବୃତ୍ତିଗତ ସ୍ୱାସ୍ଥ୍ୟ ଓ କର୍ମଚାରୀଙ୍କ ନିରାପତ୍ତା ଏବଂ ବ୍ୟାପକ ଭାବେ ସମାଜ ପ୍ରତି ସଂସ୍ଥାମାନଙ୍କ ଦୂରଦୃଷ୍ଟି ଓ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସିଆଇଆଇ ପକ୍ଷରୁ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଉଛି । କେବଳ ନିୟମ ପାଳନ ପାଇଁ ନୁହେଁ ବରଂ ପ୍ରଭାବୀ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ସଂସ୍ଥ୍‌ାଗୁଡ଼ିକ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ମଧ୍ୟ ବେଶ ଗୁରୁତ୍ୱ ରହିଛି । ଏହାସହିତ ଆବଶ୍ୟକ ପଦକ୍ଷେପ ମାଧ୍ୟମରେ କର୍ମଚାରୀଙ୍କ କଲ୍ୟାଣକୁ ତ୍ୱରାନ୍ୱିତ କରିବା ଦିଗରେ ସଂସ୍ଥାମାନଙ୍କ ଉଦ୍ୟମକୁ ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *